ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଡାକରା କ୍ରମେ ଆଜି ଖପ୍ରାଖୋଲ ଉପ ଡାକଘର ଅଧୀନରେ ଥିବା ଗ୍ରାମୀଣ ଡାକ ସେବକ (ଜିଡିଏସ୍‌)ମାନେ ୭ ଦଫା ଦାବୀ ନେଇ ଖପ୍ରାଖୋଲ ଉପ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି । ଏନେଇ ଜିଡ଼ିଏସ୍‌ମାନେ ଡାକ ବ୍ୟାଗ ଓ ଚିଠି ନେବା ଆଣିବା ବନ୍ଦ କରି ଦେଇଥିବା ଜଣାପଡିଛି । ଡାକସେବକମାନେ ସରକାରଙ୍କ ପାଖରେ ବାରମ୍ବାର ଦାବୀ ଗୁଡିକୁ ନେଇ ଗୁହାରୀ କରୁଥିଲେ ସୁଦ୍ଧା ସରକାର ସେମାନଙ୍କର ଦାବୀ ପୂରଣ ନ କରୁଥିବାରୁ ସେମାନେ ପୁନର୍ବାର ଧର୍ମଘଟ ଆରମ୍ଭ କରିଛନ୍ତି । ଡାକ ସେବକଙ୍କ ୭ ଦଫା ଦାବୀ ମଧ୍ୟରେ କମିଶନ ଦେଇ ଜିଡ଼ିଏସ୍‌ମାନଙ୍କ ଦ୍ୱାରା ଯୋଉ କାର୍ଯ୍ୟ କରାଯାଉଛି ତାହା ବନ୍ଦ କରି ସେହି କାର୍ଯ୍ୟକୁ ଆଠ ଘଣ୍ଟା କରିବା, ବିଭାଗର ସମସ୍ତ ସୁବିଧା ପ୍ରଦାନ ସହ ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ କରିବା, ଗ୍ରାଚ୍ୟୁଟି ଏବଂ ଗ୍ରୁପବୀମା ୫ ଲକ୍ଷ୍ୟ ଟଙ୍କା କରିବା, ୧୮୦ ଦିନ କାର୍ଯ୍ୟ ଦିବସ ଛୁଟି ଘୋଷଣା କରିବା, ଟାର୍ଗେଟ ନାମରେ ସେବକମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ବନ୍ଦ କରିବା, ସମାନ କାମକୁ ସମାନ ଦରମା ଦେବା ଆଦି ଦାବୀ ରହିଛି । ଡାକ ସେବକଙ୍କ ଏହି ଅନିର୍ଦ୍ଦିଷ୍ଟ ଧର୍ମଘଟରେ ଖପ୍ରାଖୋଲ ଉପ ଡାକଘର ଜିଡ଼ିଏସ୍‌ ମଧ୍ୟରେ ବଳରାମ ବରିହା, ବଳଦେବ ମାଝୀ, କୁଣ୍ଡମଣି ଖମାରୀ, ନୀଳାଦ୍ରି ଶତପଥି, ଦିବ୍ୟରଞ୍ଜନ ପଧାନ, ମନୋଜ ବେହେରା, ସୋନୁ ନାଏକ, ସୀମା ମଲ୍ଲିକ, ବର୍ଷାରାଣୀ ମେହେର, ହାର୍ଦ୍ଦିକ ବଡ଼ପଣ୍ଡା, ମନୋରଞ୍ଜନ ମାଝୀ ସହ ଆହୁରି ଗ୍ରାମୀଣ ଡାକ ସେବକ ଉପସ୍ଥିତ ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.