
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦିବାସୀ ଟ୍ରାଇବାଲ ଫୋରମ୍ ଟ୍ରଷ୍ଟ ପକ୍ଷରୁ ଆସନ୍ତା ନଭେମ୍ବର ମାସ ୧୫ ତାରିଖରେ ଝିରପାଣିସ୍ଥିତ ବିଜୟ କ୍ଲବ ପଡ଼ିଆରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ, ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ପାଳନ କରାଯିବ । ଏସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଅଶୋକ କାଣ୍ଡୁଲନା, ସମ୍ପାଦକ ଅମିତ ବାରା, ଝିରପାଣି ସରପଞ୍ଚ ଅଜିତ୍ ତିର୍କି, ଉପଦେଷ୍ଟା ଆଲେକଜାଣ୍ଡାର ବିଶ୍ୱଜିତ ଘୋଷ, ଅଜୟ ଖାଲକୋ, ନିର୍ମଳ ଓରାମ, ରମେଶ ତିର୍କି, ରାଜେଶ ଟପ୍ପୋ, ଅନିଲ ଏକ୍କା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ, ବଳିଦାନ ଓ ଆଦିବାସୀ ସମାଜ ପ୍ରତି ତାଙ୍କର ଅବଦାନକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ବିଶେଷ ପ୍ରୟାସ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଲୋକନାଟକ ପରିବେଷଣ କରାଯିବ । ଏହି ନାଟକକୁ ଝାଡ଼ଖଣ୍ଡର ଅଭିଜ୍ଞ କଳାକାରମାନେ ପ୍ରସ୍ତୁତ ଓ ପରିବେଷଣ କରିବେ । ଏହା ସହିତ ଝିରପାଣି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ନାଟକ ମାଧ୍ୟମରେ ସେମାନେ ବିର୍ସା ମୁଣ୍ଡାଙ୍କ ଜୀବନ, ତାଙ୍କର ସଂଘର୍ଷ, ଦେଶପ୍ରେମ ଓ ଆଦିବାସୀ ସମାଜର ଅଧିକାର ପାଇଁ ତାଙ୍କର ଲଢ଼େଇ ବିଷୟରେ ଜାଣିବା ଓ ବୁଝିବାର ସୁଯୋଗ ପାଇବେ । ଦ୍ୱିତୀୟ ପର୍ଯ୍ୟାୟରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଗପୁରୀ ମ୍ୟୁଜିକାଲ୍ ନାଇଟ୍, ଭୋଜପୁରୀ ସଙ୍ଗୀତ ସହିତ ଅନ୍ୟାନ୍ୟ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ସ୍ଥାନ ପାଇବ । ଏହି ଭବ୍ୟ ଆୟୋଜନର ମୁଖ୍ୟ ଆକର୍ଷଣ ହେବେ ଲୋକପ୍ରିୟ ଗାୟକ ପୱନଦୀପ ରାଜନ ଏବଂ ଚେତନା ଭରଦ୍ୱାଜଙ୍କ ସଙ୍ଗୀତ ପରିବେଷଣ । ଏହା ସହିତ ନାଗପୁରୀ ଗାୟକ ଜ୍ୟୋତି ସାହୁ, କୁମାର ପ୍ରୀତମ, ଆନିଶ ମାହାଲି, ସରସ୍ଵତୀ ବଙ୍କର, ଭୋଜପୁରୀ ଗାୟିକା ଇନ୍ଦୁ ସୋନାଲୀ ପ୍ରମୁଖ ସଂଗୀତ ପରିବେଷଣ କରିବେ । ଏଥିସହିତ ଜନଜାଗରଣ ରାଲି ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ତେଣୁ ଏହି କାର୍ଯ୍ୟକ୍ରମରେ ସହରର ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଶେଷରେ ସମ୍ପାଦକ ଶ୍ରୀ ବାରା ଧନ୍ୟବାଦ ଅର୍ପଣ କରିଥିଲେ ।