ମିଲର୍ସ-ବେପାରୀଙ୍କ ଜାଲରେ ଛନ୍ଦି ହୋଇଯାଇଛି ଧାନ ସଂଗ୍ରହ ନୀତି : ଚାଷୀଙ୍କ ୫ ଓ ଦଲାଲଙ୍କ ୯ କେଜି କଟ୍‌ନୀ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରଙ୍କ ଧାନ ସଂଗ୍ରହ ନୀତି ମିଲର୍ସ ଏବଂ ବେପାରୀ ତଥା ଦଲାଲ୍ ମାନଙ୍କ ଜାଲରେ ଛନ୍ଦି ହୋଇଯାଇଛି । ଧାନକ୍ରୟ କେନ୍ଦ୍ରମାନଙ୍କରେ ଧାନ କିଣା ବିକାରେ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ହାତବାରିସୀ କରି ମିଲର୍ସ ଏବଂ ବେପାରୀମାନଙ୍କ ମନମୁଖୀ କାରବାର ଚାଲିଥିବା ଅଭିଯୋଗ ହେଉଛି। ବଜାର ଉପପ୍ରାଙ୍ଗଣକୁ ଆସୁଥିବା ଧାନ ଚାଷୀଙ୍କ ଠାରୁ ଟୋକନ ଯାଞ୍ଚ କରି ଏଣ୍ଟ୍ରି କଲା ପରେ ମାନ ନିର୍ଦ୍ଧାରଣ ପାଇଁ ଏନାଲେସିସ୍ /ଗ୍ରେଡିଂ /ଆର୍ଦ୍ରତା ନିର୍ଦ୍ଧାରଣ ନକରି ସିଧା ମିଲକୁ ଧାନ ପଠାଇ ଦିଆଯାଇଛି । ତେବେ ଏଭଲି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ । ଗଣ୍ଡପତ୍ରାପାଲି ସମବାୟ ସମିତି ସମ୍ପାଦକ ସରୋଜ କୁମାର କ୍ଷେତିଙ୍କ କହିବା ଅନୁଯାୟୀ ୫୭୬ କୁଇଣ୍ଟାଲ ୭୨ କେଜି ବର୍ତ୍ତମାନ ପର୍ୟ୍ୟନ୍ତ ସଂଗ୍ରହ ହୋଇଛି । ତେବେ ମିଲର୍ସ ୬ କେଜି ଚାଷୀଙ୍କ ଠାରୁ ନେଉଛି ଓ ସିଧାସଳଖ ମିଲକୁ ଗଲେ ୯ କେଜି କଟନୀ କରୁଥିବା ମଧ୍ୟ କହିଛନ୍ତି ଚାଷୀମାନେ । ତେବେ ସଇଁନ୍ତଲା ବ୍ଳକରେ ଥିବା ମହାବୀର ରାଇସ୍‌ ମିଲ ମାଲିକ ସର୍ଜନ ଅଗ୍ରୱାଲ ମଧ୍ୟ ଚାଷୀଙ୍କ ଧାନ ୫ ଓ ଦଲାଲଙ୍କ ଧାନ ୮ରୁ ୯ କେଜି କଟା ଯାଉଥିବା କହିଛନ୍ତି । ତେବେ କଟ୍‌ନୀ ଛଟ୍‌ନୀ ଆଳରେ ମନଇଚ୍ଛା କାଟି ଦିଆଯାଉଥିବାରୁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି । ଧାନ ଭର୍ତ୍ତି ହୋଇଥିବା ପାକେଟ୍ ବାବଦରେ ପ୍ଳାଷ୍ଟିକ୍ ହେଇଥାଉ କି ଅଖା ବସ୍ତା ହେଇଥାଉ ୭ ଶହ ଗ୍ରାମ କାଟି ଦିଆଯାଉଛି । ବଜାରରେ ଖାଲି ପ୍ୟାକେଟ୍ ବସ୍ତା ୨୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀ ଧାନ ଭର୍ତ୍ତି କରିବା ପାଇଁ ବଜାରରୁ  କିଣି ଆଣୁଥିବା ପ୍ୟାକେଟ୍ ମିଲର୍ସ ଠାରୁ ଫେରି ନପାଇ କ୍ଷତିଗ୍ରସ୍ତ ହେଉଛି । ଏସବୁ ମନମୁଖୀ କାରବାରର ପ୍ରତିବାଦ କଲେ ବି କେହି ଶୁଣିବାକୁ ନାହାନ୍ତି । କିନ୍ତୁ ମିଲର୍ସମାନଙ୍କ ସହିତ ସେଟିଂ ଥିବାରୁ  ବେପାରୀମାନଙ୍କ ଜରିଆରେ ମିଲ୍‌କୁ ଯାଉଥିବା ଧାନ ୯ କେଜି କଟ୍‌ନୀ ଛଟ୍‌ନୀ କରାଯାଉଥିବା ଜଣାପଡିଛି । ପ୍ରଶାସନିକ ଉଦାସୀନତା ଫଳରେ ବଜାର ଉପପ୍ରାଙ୍ଗଣରେ ମିଲର୍ସ ଏବଂ ବେପାରୀ ମାନଙ୍କର ଏଭଳି ମନମୁଖୀ ଏକଚାଟିଆ କାରବାର ଚାଲିଛି । ମିଲର୍ସ – ବେପାରୀ ମାନଙ୍କ କବଜାରେ ଚାଲିଥିବା ସମାନ୍ତରାଳ ବ୍ୟବସ୍ଥାରେ ଏଭଲି ଜାଲ୍ ବିଛାଇ ଦିଆଯାଉଛି ଯେ ଚାଷୀ ବେପାରୀ ମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛି । ପ୍ରଶାସନର ନିଷ୍କ୍ରିୟତାର ସୁଯୋଗ ନେଇ ଏମ୍ଏସ୍‌ପି କୁଇଣ୍ଟାଲ୍ ପ୍ରତି ୧୮ଶହ ୬୮ ଟଙ୍କା ଥିବା ବେଳେ ୧୨ ଶହ / ୧୩ ଶହରୁ ୧୪ ଶହ ଟଙ୍କାରେ ଚାଷୀ ବେପାରୀ ମାନଙ୍କୁ ଧାନ ବିକ୍ରି କରି ଦେଉଥିବାର ଜଣାପଡିଛି । ବେପାରୀମାନେ ପୂର୍ବରୁ ଚାଷୀମାନଙ୍କ ଠାରୁ ଶହେରୁ ଦେଢ ଶହ ଟଙ୍କାରେ ଧାନ କାର୍ଡ ଟୋକନ୍ କିଣି ନେଇ ବଜାର ଉପପ୍ରାଙ୍ଗଣରେ ଏଣ୍ଟ୍ରି କରି ମାଲେମାଲ୍ ହେଉଛନ୍ତି । ଯୋଗାଣ ବିଭାଗ, ଆର୍‌ଏମ୍‌ସି, ସମବାୟ ବିଭାଗ ସହିତ ମିଲର୍ସ ଏବଂ ବେପାରୀ ମାନଙ୍କର ସେଟିଂ ଥିବାରୁ ବଜାର ଉପପ୍ରାଙ୍ଗଣରେ ମିଲର୍ସ ଏବଂ ବେପାରୀମାନେ ଚକ୍ରବ୍ୟୁହ ଜାଲ୍ ବିଛାଇ ଧାନ ସଂଗ୍ରହ ନୀତିକୁ ଆଖିଠାର ମାରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.