ସମାଜସେବୀ ଗୀତା ମିଶ୍ରଙ୍କ ଉଦ୍ୟମ ଅତି ପ୍ରଶଂସନୀୟ : ବୃଦ୍ଧାଶ୍ରମ ଅନ୍ତବାସୀଙ୍କୁ ବଣଭୋଜି ସହିତ ନୌକା ବିହାର କରାଇଲେ

ବରଗଡ଼, (ନିରୋଜ କୁମାର ପାଣୀ) : ସମୟ ସକାଳ ୫ଟାରେ ପୂର୍ବ ଯୋଜନା ଅନୁସାରେ ଗୋଟିଏ ଲମ୍ବା ଟ୍ରାଭେଲର ଗାଡ଼ି ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ସମ୍ମୁଖରେ ଛିଡା ହେଲା । ଏଥିରେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲଙ୍କ ପରିବାର ସହିତ ସମସ୍ତ ଅନ୍ତବାସୀ ସୂର୍ୟ୍ୟ ଉଦୟ ହେବା ପୁର୍ବରୁ ଗାଡ଼ିରେ ତାଙ୍କ ଇଚ୍ଛା ଅନୁସାରେ ବସିଲେ । ଏହାପରେ ବରଗଡ଼ରେ କିଛି ସାମଗ୍ରୀ ଧରି ଗାଡ଼ିଟି ଛାଡ଼ିଥିଲା ଉପାନ୍ତ ଅଞ୍ଚଳ ଅମ୍ବାଭୋନା ବ୍ଲକ ଆଡ଼କୁ । କିଛି ସମୟ ପରେ ସମସ୍ତେ ପହଞ୍ଚିଲେ ପ୍ରାକୃତିକ ମନୋରମ ଦୃଶ୍ୟରେ ଭରପୁର ଥିବା ପଥରାସେଣି ପର୍ୟ୍ୟଟନ ସ୍ଥଳୀରେ । ବ୍ୟସ୍ତ ବହୁଳ ଜୀବନ ଯାପନ ଭିତରେ ସମୟ ବାହାର କରି ନିଜସ୍ୱ ଉଦ୍ୟମରେ ବୃଦ୍ଧାଶ୍ରମ ଅନ୍ତବାସୀମାନଙ୍କୁ ଵଣଭୋଜିରେ ନେଲେ ସମାଜସେବୀ ଗୀତା ମିଶ୍ର । ବରଗଡ଼ ଜିଲ୍ଲା ବିଜେପୁର ଅନ୍ତର୍ଗତ ସମଲେଇ ପଦର ଗ୍ରାମରେ ଥିବା ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମର ଅନ୍ତବାସୀମାନଙ୍କୁ ପଥରାସେଣି ପର୍ୟ୍ୟଟନ ସ୍ଥଳୀ ବୁଲାଇବା ସହିତ ସମସ୍ତଙ୍କୁ ନୌକା ବିହାର କରାଇଥିଲେ। ଆଜି ଅନ୍ତବାସୀ ମାନେ ଅତି ଆନନ୍ଦିତ ଥିବା କହିଛନ୍ତି । ଏଥିପାଇଁ ଏହି ବରିଷ୍ଠ ସମାଜସେବୀ ଜଣକ ପୁର୍ବରୁ ସମସ୍ତ ପ୍ରସ୍ତୁତି କରିଥିଲେ । ଗୀତା ମିଶ୍ରଙ୍କ ସହିତ ମମତା ମିଶ୍ର, ସୀମା ଆଚାର୍ୟ୍ୟ, ଗାୟତ୍ରୀ ମିଶ୍ର, ନିକି ମିଶ୍ର ସହଯୋଗ କରିଥିବା ବେଳେ ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ପରିଚାଳନା କରିଥିଲେ । ସମାଜର ଅବହେଳିତ ଲୋକଙ୍କ ସହିତ ସମସ୍ତ ପର୍ବପର୍ବାଣୀ ପାଳନ କରୁଥିବା ସମାଜସେବୀ ଗୀତା ମିଶ୍ରଙ୍କୁ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମର ପରିଚାଳକ ଜଲନ୍ଧର ପଟେଲ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.