jayashree

ଆନ୍ତଃରାଜ୍ୟ କାଠ ମାଫିଆ ସକ୍ରିୟ : କେନ୍ଦୁ କାଠଗଣ୍ଡି ସହ ପିକଅପ୍‌ ଭେନ୍‌ ଜବତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋର ବନବିଭାଗ ରବିବାର ସକାଳୁ ବେଆଇନ ଭାବେ ଚାଲାଣ ହେଉଥିବା ଗୋଟିଏ କେନ୍ଦୁକାଠ ବୋଝେଇ ପିକଅପ୍‌ ଭେନ୍‌କୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ତିନି ଜଣ ଦଲାଲ ଫେରାର ହୋଇଯାଇଥିବା ଲାଠୋର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ରବିବାର ସକାଳୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଠୋର ବନାଞ୍ଚଳ ଅଧିକାରୀ ଶୈଳେଶ କୁମାର ବିଶିଙ୍କ ନିର୍ଦ୍ଦେଶରେ ବନପାଳ ଶ୍ରୀକାନ୍ତ ସାହୁ, ହରିହର ସ୍ୱାଇଁ, ବନରକ୍ଷୀ ରାଜେଶ ସାହୁ, ଇନ୍ଦ୍ରମଣି ବେହେରା ଏବଂ କିଛି କର୍ମଚାରୀଙ୍କ ଟିମ୍‌ କରଲାକୁଟୁନା ଗ୍ରାମ ନିକଟରେ ଚଢ଼ଉ କରି ଛତିଶଗଡ ରାଜ୍ୟ ନମ୍ବର ବିଶିଷ୍ଟ ଗୋଟିଏ ପିକ୍‌ଅପ୍‌ ଭେନ ନଂ ସିଜି୧୦ସି ୭୩୪୪କୁ ଜବତ କରିଥିଲେ । ଉକ୍ତ ଭେନରେ ୩୨ଟି କେନ୍ଦୁଗଣ୍ଡି କାଠ ବୋଝେଇ ହୋଇ କଣ୍ଟାବାଞ୍ଜି ଯାଉଥିବା ଗାଡି ଡ୍ରାଇଭର ହଳଧର ଲୁହାର(୨୭) କହିଥିବା ବେଳେ ତାଙ୍କୁ ଭାଲୁଡୁଙ୍ଗରି ଏବଂ କରଲାକୁଟୁନା ଗ୍ରାମର ୩ ଜଣ ଦଲାଲ କାଠ ଚୋରା ଚାଲାଣରେ ସାହାଯ୍ୟ କରିଥିବା ଜଣାପଡିଛି । କେନ୍ଦୁ କାଠଗଣ୍ଡିଗୁଡିକ ବେନ୍ଦେର ସଂରକ୍ଷିତ ଜଙ୍ଗଲରୁ କାଟି ଅଣାଯାଉଥିବା ବେଳେ ପ୍ରଥମେ କଣ୍ଟାବାଞ୍ଜି ତା’ପରେ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଅଭିଯୁକ୍ତ ଡ୍ରାଇଭରଠାରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଜବତ୍‌ କାଠର ପରିମାଣ ୧୫୦ ସିଏଫ୍‌ଟି ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୬୦ ହଜାର ଟଙ୍କା ବୋଲି ବନବିଭାଗର ଆକଳନରୁ ଜଣାପଡିଛି । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି । ତେବେ ଖୁବ୍‌ ଶୀଘ୍ର ଅଭିଯୁକ୍ତ କାଠ ମାଫିଆଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଲାଠୋର ରେଞ୍ଜର ଶୈଳେଶ କୁମାର ବିଶି ପ୍ରକାଶ କରିଛନ୍ତି । ଖପ୍ରାଖୋଲ ରେଞ୍ଜ ଏବଂ ଲାଠୋର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁଗଛ ଏବଂ ଖଇର ଗଛର ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି । ଏକଦା ଜଙ୍ଗଲରେ ଭରପୁର ଦେଖାଯାଉଥିବା କେନ୍ଦୁଗଛ ଧୀରେ ଧୀରେ ଶୂନ୍ୟ ହେବାରେ ଲାଗିଛି । କେନ୍ଦୁ କାଠ ଶକ୍ତ ଏବଂ ଅନ୍ୟ କାଠ ତୁଳନାରେ ସାମାନ୍ୟ ହାଲୁକା ଥିବାରୁ ଏହାକୁ ବିଭିନ୍ନ ହୋଟେଲ, ଶିଳ୍ପ ଏବଂ ଦେଶୀ ବନ୍ଧୁକ ନିର୍ମାଣରେ ବ୍ୟବହାର କରାଯାଉଛି । ଫଳରେ କାଠ ମାଫିଆମାନେ ଏ ଗୁଡିକୁ ବିଭିନ୍ନ ରାଜ୍ୟକୁ ଚୋରା ଚାଲାଣ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେଧଡ଼କ ଭାବେ କାଠର ଚୋରା ଚାଲାଣ ହୋଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.