ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ସୋମବାର ଦିନ ପଟ୍ଟନାୟିକିଆ-ଖୋର୍ଦ୍ଧା ରାସ୍ତାର ବେରବୋଇ ଛକଠାରେ ରାସ୍ତା ଅବରୋଧ କରାଯିବ ବୋଲି ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନୟନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ପ୍ରକାଶ ଥାଉକି ଗତ ଅଗଷ୍ଟ ୧୪ ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇରେ ଶିକ୍ଷକ ନିଯୁକ୍ତି ଦାବୀରେ ବିଦ୍ୟାଳୟ ଫାଟକ ନିକଟରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ବ୍ଲକ ଶିକ୍ଷାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ୩ଦିନ ମଧ୍ୟରେ ୩ଜଣ ପ୍ରାଥମିକ ଶିକ୍ଷକ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଏକମାସ ମଧ୍ୟରେ ଆଉ ୩ଜଣ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଦୁଇ ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ୨ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଥିଲେ । ମାତ୍ର ୪୫ ଦିନ ବିତିଯାଇଥିବା ବେଳେ ନୂତନ ଶିକ୍ଷକ ନିଯୁକ୍ତି ପରିବର୍ତ୍ତେ ଏହି ବିଦ୍ୟାଳୟର କାର୍ଯ୍ୟରତ ଜଣେ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ଏବାବଦରେ ଅଭିଭାବକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବାରୁ ସେ ଧମକ ଦେଇ ତମେ କ’ଣ କରୁଛ କର ବୋଲି କହି ଫୋନ ସ୍ବିଚ ଅଫ କରିଦେଇଥିଲେ । ଏହାର ପ୍ରତିବାଦରେ ସ୍ଥାନୀୟ ବିଧାୟକ, ବ୍ଲକ ଶିକ୍ଷାଧିକାରୀ ଓ ଡେଲାଙ୍ଗ ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇବା ସହିତ ସୋମବାର ଦିନ ପୂର୍ବାହ୍ନ ୯ ଟା ସମୟରେ ପଟ୍ଟନାୟିକିଆ-ଖୋର୍ଦ୍ଧା ରାସ୍ତାର ବେରବୋଇ ଛକଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନୟନ ସଙ୍ଘ ପକ୍ଷରୁ ରାସ୍ତା ଅବରୋଧ କରାଯିବା ସହିତ ଧାରଣା ଦିଆଯାଇଛି ।