ନକଲି ପ୍ରମାଣ ପତ୍ର ଦେଇ ଡାକ ବିଭାଗରେ ଚାକିରି ହାତେଇବାକୁ ଉଦ୍ୟମ କରୁଥିବା ୩୭ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି ବଲାଙ୍ଗିର ଡାକ ମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ପ୍ରମାଣ ପତ୍ର ଦେଇ ଡାକ ବିଭାଗରେ ଚାକିରି ହାତେଇବାକୁ ଉଦ୍ୟମ କରୁଥିବା ୩୭ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି ବଲାଙ୍ଗିର ଡାକ ମଣ୍ଡଳ । ସୂଚନା ଅନୁସାରେ ବଲାଙ୍ଗିର ଡାକ ମଣ୍ଡଳରେ ବିଭିନ୍ନ ପଦ ପାଇଁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଲକ୍ଷ ଲକ୍ଷ ଆଶାୟୀ ଅନ୍‌ଲାଇନରେ ଆବେଦନ କରିଥିଲେ । ତେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ଯାଞ୍ଚ ସମୟରେ ବଲାଙ୍ଗିର ଡାକ ମଣ୍ଡଳ ହାତରେ ଲାଗିଛି ଆଶାୟୀଙ୍କ ପୁଳା ପୁଳା ଜାଲ ସାର୍ଟିଫିକେଟ । ଆଶାୟୀ ଧରିଥିବା ସାର୍ଟିଫିକେଟର ମାର୍କ ଏବଂ ସେମାନଙ୍କ ଜ୍ଞାନ ଭିତରେ ଆକାଶ ପାତାଳ ଫରକ ରହିଥିବା ସନ୍ଦେହ କରି ୩୭ ଜଣ ଜାଲ ପ୍ରମାଣ ପତ୍ରଧାରୀ ଆଶାୟୀଙ୍କ ନାଁ ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନ ପୁଲିସକୁ ଦେଇଥିବା ଜଣାପଡିଛି ।

ଡାକ ବିଭାଗର ଚୟନ ପକ୍ରିୟା ଅନୁସାରେ ଆବେଦନ କରିଥିବା ଆଶାୟୀଙ୍କୁ ନେଇ କୌଣସି ପରୀକ୍ଷା କରାଯାଉନଥିବା ବେଳେ ସର୍ବାଧିକ ମାର୍କ କ୍ରମରେ ଚାକିରୀ ପ୍ରଦାନ କରାଯାଇଥାଏ । ତେବେ ବଲାଙ୍ଗିର ଡାକ ମଣ୍ଡଳର ୮୩ଟି ଶାଖାରେ ପୋଷ୍ଟ ମାଷ୍ଟର, ଏବିପିଏମ୍‌ ଓ ଡାକ ସେବକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଆବେଦନ ପତ୍ର ଅନ୍‌ଲାଇନରେ ଆସିଥିବା ବେଳେ ମୁଖ୍ୟ ଡାକ ଘରେ ଆବେଦନକାରୀଙ୍କ ପ୍ରମାଣ ପତ୍ର ଯାଂଚ ହୋଇଥିଲା । ଏଥିରେ ପାଟଣାଗଡ ଉପଖଣ୍ଡର ଧୁମାଭଟା ନିବାସୀ ସୁବଳୟା ଭୁଏଙ୍କ ପ୍ରମାଣ ପତ୍ରରେ ରହିଥିବା ମାର୍କ ଓ ତାଙ୍କ କଥାବାର୍ତ୍ତାକୁ ନେଇ ଡାକ ମଣ୍ଡଳ ଅଧିକକ୍ଷକ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଥିଲେ । ଏହା ପରେ ଆବଦେନକାରୀଙ୍କୁ ପଚରା ଉଚୁରା କରିବାରୁ ସେ ଉତ୍ତରପ୍ରଦେଶର ପ୍ରେମ ନଗର ଝାନ୍‌ସୀର ଡକ୍ଟର ବିଆର୍‌ ଆମ୍ବେଦକର ନାମକ ଏକ ଶିକ୍ଷାନୁଷ୍ଠାନରୁ ଜାଲ୍‌ ସାର୍ଟିଫିକେଟ ମୋଟା ଅଙ୍କରେ କିଣିଥିବା ସ୍ୱୀକାର କରିଥିବା ବେଳେ ତାଙ୍କୁ ତାଙ୍କର ପ୍ରମାଣ ପତ୍ର ସହ ଟାଉନ ପୁଲିସକୁ ଡାକ ଅଧିକ୍ଷକ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ତେବେ ଏଭଳି ୩୭ ଜଣ ଜାଲ୍‌ ସାର୍ଟିଫିକେଟଧାରୀ ଆଶାୟୀଙ୍କୁ ଡାକ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.