ଉଦଳା : ପୁଣି ଜନବସତି ମୁହାଁ ବନ୍ୟଜନ୍ତୁ । ଶିମିଳିପାଳରୁ ଖସି ଆସି ଜନବସତିରେ ପଶିଥିବା ଏକ ହରିଣକୁ ଉଦ୍ଧାର କରି ଆଜି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଉଦଳା ବନାଞ୍ଚଳ ଅଧୀନ ଏନ୍ଏସି ୧୨ ନମ୍ବର ୱାର୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ଆଜି ସକାଳ ସମୟରେ ଉଦଳା ବନାଞ୍ଚଳ ଅଧୀନ ଏନ୍ଏସି ୧୨ ନମ୍ବର ୱାର୍ଡର କିଛି ଲୋକ ମର୍ଣ୍ଣିଂ ୱାକ ପାଇଁ ଯାଇଥିବା ବେଳେ ଏକ ହରିଣକୁ କିଛି କୁକୁର ଗୋଡାଉଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ କୌଶଳକ୍ରମେ ହରିଣକୁ କୁକୁରଙ୍କ କବଳରୁ ରକ୍ଷା କରି କାବୁ କରିଥିଲେ । ଖବର ପାଇ ଉଦଳା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ସାଙ୍ଗରେ ନେଇ ଦେବକୁଣ୍ଡ ଅଞ୍ଚଳରେ ଛାଡି ଦେଇଥିବା ଜଣାଯାଇଛି । ତେବେ ଗତ ୭ ତାରିଖରେ ଉଦଳା ବନାଞ୍ଚଳ ଅଧୀନ ଖୀରପଦା ଗ୍ରାମରେ ମଧ୍ୟ ଗୋଟିଏ ହରିଣକୁ ଚାରି ଗୋଟି କୁକୁର ଝୁଣିବାକୁ ଚେଷ୍ଟା କରିଥିବା ବେଳେ ତାକୁ ଉଦ୍ଧାର କରାଯାଇଥିଲା ଏବଂ ଗୋଟିଏ ଦିନରେ ହିଁ ତାହାର ମୃତ୍ୟୁ ହୋଇଥିଲା । ସେହିପରି ନଭେମ୍ବର ମାସରେ ଏକ ସମ୍ବର ଜନବସତିକୁ ପଶି ଆସିଥିବା ବେଳେ ତାହାର ମୃତ୍ୟୁ ହୋଇଥିଲା । ଶିମିଳିପାଳରେ ଲଗାତାର ନିଆଁ ଲାଗି ଚାଲିଥିବାରୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ।