csstore

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୧୬ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଅଧ୍ୟୟନ ଓ ତାଲିମ ଶିବିର ତା ୦୨/୦୩/୨୩ ଓ ୦୩/୦୩/୨୩ ଦୁଇ ଦିନ ଧରି ଆୟୋଜିତ ହୋଇଯାଇଛି । ଜୁନିଅର ରେଡ଼କ୍ରସ ପରିବାର ସହ ଜୀବନ ସାରା ଯୋଡି ହୋଇଥିବା ପୂର୍ବତନ ଜୁନିଅର ରେଡ଼କ୍ରସ ଅଫିସର ଧରମ ସିଂ ମିଶ୍ର ପତାକା ଉତ୍ତୋଳନ କରି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିନିଧି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜୁନିଅରମାନଙ୍କୁ ସେବା ମନୋଭାବରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଧରମ ସିଂ ମିଶ୍ର ପ୍ରଶିକ୍ଷଣକୁ ଜୀବନରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସହ-ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଡ଼.ରାଧାକାନ୍ତ ଗଡତିଆ ଏବଂ ଶ୍ରୀମତୀ ମଞ୍ଜୁଲତା ଭୋଇ ସେବା ଓ ବନ୍ଧୁତାଭାବକୁ ଆଗକୁ ବଢେଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଜୁନିଅର ରେଡ଼କ୍ରସ ଅଧିକାରୀ ରବି ଚନ୍ଦ୍ର ପଶାୟତ ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଗ ମଞ୍ଚ ପରିଚାଳନା କରିଥିଲେ । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ କିଡ଼ସ ଇଂରାଜୀ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ଦାଶ ଓଡିଶୀ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର ଧନ୍ୟବାଦ ଦେଇଥିବା ବେଳେ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ୧୧୪ଟି ବିଦ୍ୟାଳୟରୁ ୧୧୪ ଜଣ ପରାମର୍ଶଦାତା, ୧୩୦ ଜଣ ବାଳକ ଜୁନିଅର ଏବଂ ୧୭୯ ଜଣ ବାଳିକା ଜୁନିଅର ଯୋଗଦାନ କରିଥିଲେ । ଆଜି ଦ୍ୱିତୀୟ ଦିନ ସକାଳରୁ ପ୍ରାର୍ଥନା, ଯୋଗ, ପ୍ରାଣାୟାମ ସହ ସର୍ବ ଧର୍ମ ପ୍ରାର୍ଥନାର ଆୟୋଜନ ହୋଇଥିଲା । ଏ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ପ୍ରସନ୍ନ ଶତପଥୀ ଓ ଯୋଗ ଗୁରୁ ହୃଷିକେଶ ଦେହେରୀ ଯୋଗଦାନ କରି ସୁସ୍ଥ ଜୀବନ ଶ୍ରେଷ୍ଠ ଜୀବନର ବାର୍ତ୍ତା ପ୍ରଦାନ କରିଥିଲେ । ପରେ ସହରରେ ରେଡ଼କ୍ରସର ବାର୍ତ୍ତା ପହଂଚାଇବା ପାଇଁ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା । ଉକ୍ତ ଶୋଭଯାତ୍ରାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସହ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ, ଜୁନିଅର ରେଡ଼କ୍ରସର ଉପସଭାପତି ଗତିକୃଷ୍ଣ ମିଶ୍ର, ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମାର୍ଗଦର୍ଶକ, ବାଳକ ଜୁନିଅର ଓ ବାଳିକା ଜୁନିଅର ଯୋଗଦାନ କରିଥିଲେ । ପୁନଶ୍ଚ ଜିଲ୍ଲା ସାଧନ କର୍ମୀମାନେ ପ୍ରାଥମିକ ଚିକିତ୍ସା, ଦୁର୍ଘଟଣା ସମୟରେ ସେବା ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଜୁନିଅରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଗଡତିଆ ତଥା ଶ୍ରୀମତୀ ଭୋଇ ଓ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କମଳିନୀ ଶତପଥୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜୁନିଅର ରେଡକ୍ରସ ମୁଖପତ୍ର “ଉତ୍ସର୍ଗ”କୁ ଉନ୍ମୋଚନ କରାଯାଇଥିଲା । ତା’ସହିତ ଶିବିର ଜୁନିଅରମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ପଶାୟତ ଶିବିରର ବିବରଣୀ ପ୍ରଦାନ କରିଥିଲେ । ମେଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ଜିଲ୍ଲାର ବିଭିନ୍ନ ଜୁନିଅର ରେଡକ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.