ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବୈଠକ

କୋକସରା : ଆସନ୍ତା ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ୪ ଥାକିଆ ରାସ୍ତାକୁ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ଅଧିକାରୀ ଗସ୍ତରେ ଆସି ପ୍ରସ୍ତୁତି ଚୂଡାନ୍ତକୁ ନେଇ ତଦାରଖ କରୁଛନ୍ତି । ସୋମବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋକସରା ବିଡ଼ିଓ ଦେବବ୍ରତ କରାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନାରାୟଣ ନନ୍ଦ, ଜିଲ୍ଲା ଯୁବ ସମ୍ପାଦକ ସେନାପତି ନାଏକ, କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ସିଡ଼ିପିଓ ସରୋଜା ଲତା ଦେବୀ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା ଜିପିଓ ନାରାୟଣ ଭୋଇ ଯୋଗ ଦେଇଥିଲେ ।

କୋକସରା ବ୍ଲକର ୨୨ ପଞ୍ଚାୟତର ଉପସ୍ଥିତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ବ୍ଲକରେ କାର୍ଯ୍ୟରତ ଅଧିକାରୀ କର୍ମଚାରୀ, ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରସ୍ତୁତିକୁ ନେଇ ଆଲୋଚନା କରିଥିଲେ । ବିଜୁ ଏକ୍ସପ୍ରେସ ୱେ ରାସ୍ତାର ବଡ଼ କେନ୍ଦୁଗୁଡା ଛକରୁ ଆମପାଣି ମଧ୍ୟରେ ୧୫ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.

five + seven =

error: Content is protected !!