ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ରିଷିଡା ଗସ୍ତ : ପରିଦର୍ଶନ କଲେ ଷ୍ଟାଡିୟମ ଓ ପୋଖରୀ

  • ଜିଲ୍ଲାପାଳ, ବିଧାୟକଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡାକୁ ଗସ୍ତରେ ଆସି ବାପୁଜୀ ମିନି ଷ୍ଟାଡିୟମ ପରିଦର୍ଶନ କରି ଉନ୍ନତମାନର ଷ୍ଟାଡିୟମ ନିର୍ମାଣ କରିବା ଉପରେ ଆଲୋଚନା କରିଥିଲେ ଓ ରିଷିଡା ବଡ଼ବନ୍ଧ (ପୋଖରୀ)କୁ ମଧ୍ୟ ପରିଦର୍ଶନ କରି ମୋଡେଲ ପୋଖରୀ କରିବା ପାଇଁ ଆଲୋଚନା କରିଥିଲେ । ଏଥିସହିତ କଲ୍ୟାଣ ମଣ୍ଡପ କାମ ଶୀଘ୍ର କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ତ୍ରିପାଠୀଙ୍କ ସହ ସିଇଓ ଅଜିତ କୁମାର ମିଶ୍ର, ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ପି ଅନ୍ୱେଶା ରେଡି, ପିଡିଡିଆରଡିଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁରଙ୍କ ସମେତ ଜିଲ୍ଲା ଓ ବ୍ଲକର ପଦାଧିକାରୀମାନେ ଉପସ୍ଥିତ ଥିଲେ । ରିଷିଡା ବାପୁଜୀ ମିନି ଷ୍ଟାଡିୟମ ଗେଟରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା, ପିଇଓ ଦେବରାଜ ରଣାଙ୍କ ସମେତ ଗ୍ରାମର ବୁଦ୍ଧିଜୀବୀ, ଯୁବକ ଓ ସାମ୍ବାଦିକମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ସଂକୀର୍ତ୍ତନ ବାଦ୍ୟ ଓ ମହିଳାଙ୍କ ହୁଳହୁଳି ମଧ୍ୟେ ଅତିଥିମାନଙ୍କୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ରିଷିଡା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ସ୍ଥାନୀୟ ସମସ୍ୟା ସମ୍ବଳିତ ଦାବୀପତ୍ର ଶ୍ରୀ ତ୍ରିପାଠୀଙ୍କୁ ଦିଆଯାଇଥିଲା । ଏହାପରେ ଶ୍ରୀ ତ୍ରିପାଠୀ ବେଲଖଣ୍ଡିର ଐତିହାସିକ ଶୈବପୀଠ ପରିଦର୍ଶନ କରି ବିକାଶ ପରିଷଦ ପାଣ୍ଠିରୁ ହେଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ପୂର୍ବରୁ ମ. ରାମପୁର ରାମ ମନ୍ଦିର ଠାରେ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.