ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

  • ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରୋଜଗାର ଓ ପର୍ଯ୍ୟଟନ ପାଇଁ ଦୀର୍ଘସୁତ୍ରୀ ପ୍ରସ୍ତାବ
  • ଚାରିବର୍ଷ ପର୍ଯ୍ୟନ୍ତ ବୈଠକ ନବସିବାକୁ ନେଇ କ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମିଶ୍ର କହିଛନ୍ତି ଯେ, ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଜିଲ୍ଲାର ବିକାଶର ନକ୍ସା ତିଆରି ହୋଇଥାଏ । ଏଠାକୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଥିବା ଜନ ପ୍ରତିନିଧି ତଥା ସଂସ୍ଥାମାନେ ଯଥା ପଞ୍ଚାୟତ, ପୌର ପରିଷଦ ଓ ଜିଲ୍ଲା ପରିଷଦରୁ ଅଂଚଳର ବିକାଶକୁ ନେଇ ବିଭିନ୍ନ ପ୍ରସ୍ତାବ ଆସିଥାଏ । ଅଂଚଳର ବିକାଶ ପାଇଁ ଯାହା ଠିକ୍‌ ତାହା ଏହି ବୈଠକରେ ପାରିତ ହୋଇଥାଏ । କିନ୍ତୁ ବିଡମ୍ବନାର ବିଷୟ ଦୀର୍ଘ ଚାରି ବର୍ଷ ହେଲା ବଲାଙ୍ଗିରରେ ଯୋଜନା ବୋର୍ଡର ବୈଠକ ବସି ନାହିଁ । ବୈଠକରେ କରୋନାକୁ ଆଳ ଦେଖାଯାଉଛି ମାତ୍ର, କରୋନା ସମୟରେ ସବୁ ଗୁରୁତ୍ୱପୁର୍ଣ୍ଣ ବୈଠକ ଡକା ଯାଇଥିବା ବେଳେ ଆମ ଅଂଚଳର ବିକାଶ ପାଇଁ ନିହାତି ଦରକାର ହେଉଥିବା ଯୋଜନା ବୋର୍ଡ କାହିଁକି ଡକାଗଲା ନାହିଁ ବୋଲି ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ଯଦି ବଲାଙ୍ଗିର ବିକାଶକୁ ନେଇ ଜିଲ୍ଲା ଯୋଜନା ବୋର୍ଡରେ ପ୍ରସ୍ତାବ ପାରିତ କରି ସରକାରଙ୍କ ପାଖକୁ ପଠା ନଯିବ ତାହେଲେ ଏହି ଯୋଜନା ବୋର୍ଡ ଥାଇ ଲାଭ କଣ? ଗତ ଯୋଜନା ବୋର୍ଡ ବୈଠକରେ ନିଜେ ଦେଇଥିବା ପ୍ରସ୍ତାବ ଯାହାକି ଜିଲ୍ଲାର ବିକାଶ ପାଇଁ ନିହାତି ଅପରିହାର୍ଯ୍ୟ ସେସବୁ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ କପା ଚାଷ ଅଧିକ ହୁଏ, ବିଧାନସଭା ପୂର୍ବରୁ ନାଗରିକ ସମାଜ ସହ ହୋଇଥିବା ବୈଠକରେ ନାଗରିକ ସମାଜ ବଲାଙ୍ଗିରରେ ଏକ ଟେକ୍ସଟାଇଲ ମିଲ ସ୍ଥାପନ କରିବା ପାଇଁ କହିଥିଲେ । ଯାହାକୁ ଯୋଜନାବୋର୍ଡ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ସେହିପରି ଆଖୁ ଚାଷୀ ଓ ବେକାର ଯୁବକଙ୍କୁ ରୋଜଗାର ପ୍ରଦାନ ଉଦ୍ଦେଶ୍ୟରେ ଦେଓଗାଁ ସ୍ଥିତ ବିଜୟା ନନ୍ଦ ଚିନିକଳ ପୁନଃ ପ୍ରଚଳନ, କଣ୍ଟାବାଞ୍ଜିରେ ରେଳ ବିଭାଗର ୭୦୦ଏକର ଜମିରେ ଏକ ରେଳ ଭିତ୍ତିକ ଶିଳ୍ପର ପ୍ରତିଷ୍ଠା, ପର୍ଯ୍ୟଟନ ପାଇଁ ହରିଶଙ୍କରର ବିକାଶ, ରାଣୀପୁର ଝରିଆଲ ପାଇଁ ସ୍ୱତନ୍ତ୍ର ଅନୁଦାନ, ଭୀମ ଡୁଙ୍ଗୁରିର ହରିଣ ପାର୍କ, ଗନ୍ଧ୍ରେଲ ଡ୍ୟାମ ଓ ଚାନ୍ଦଲି ପାହାଡର ଉନ୍ନତିକରଣ ଏବଂ ପୁରୁଣା ସମଲେଶ୍ୱରୀ ମନ୍ଦିରର ପୁନଃ ଉଦ୍ଧାର ସହ ଗୋପାଲଜୀ ମନ୍ଦିର ପାଶ୍ୱର୍ରେ ଥିବା ଦେବୋତ୍ତର ଜମିରେ ଏକ ଭବ୍ୟ ସମଲେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ୫୦୦ କୋଟି ଦାବୀ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ । ଆହୁରି ମଧ୍ୟ ସ୍ୱାସ୍ଥ୍ୟସେବା ପାଇଁ ଭୀମ ଭୋଇ ମେଡିକାଲରେ ସୁପର ସ୍ପେସିଆଲିଟି ବିଭାଗ ଖୋଲିବା ସହ ଖାଲିଥିବା ଡାକ୍ତର ପଦବୀ ପୁରଣ, ଜଳସେଚନ ପାଇଁ ଜରାସିଂହା ଓ ଡୁଡୁକାଠାରେ ବ୍ୟାରେଜ ନିର୍ମାଣ, କଲେଜ ଓ ସ୍କୁଲ ଗୁଡିକରେ ଶିକ୍ଷକ ଓ ଅଧ୍ୟାପକ ପଦବୀ ପୁରଣ, ବଲାଙ୍ଗିରରେ ହାଇକୋର୍ଟ ବ୍ୟାଞ୍ଚ, ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଓ ବାଇପାସ କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟ ପ୍ରସ୍ତାବ ପାରିତ କରିବା ପାଇଁ କହିଥିଲେ । ତା’ସହ ଆଗାମୀ ବିଧାନସଭାରେ ରାଜ୍ୟର ପ୍ରସିଦ୍ଧ ବାଳୁକା ଶିଳ୍ପି ଓମ୍‌ପ୍ରକାଶ ସାହୁଙ୍କ ଅନୁରୋଧ କ୍ରମେ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ଜିଲ୍ଲାକୁ ସ୍ଥାନ ଦେବା ପାଇଁ ଏକ ବାଳୁକା କଳା ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ୩୦ଲକ୍ଷ ଟଙ୍କାର ଅନୁଦାନ ସେ ନିଶ୍ଚିତ ଭାବେ ଅଣାଯିବ ବୋଲି କହିଥିଲେ । ଠିକ୍‌ ସେହିପରି ଲକ୍ଷ୍ମୀଜୋର ପ୍ରକଳ୍ପ କାମ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ସାମ୍ବାଦିକଙ୍କ ଅନୁରୋଧ କ୍ରମେ ବଲାଙ୍ଗିରଠାରେ ସରକାରୀ ଇଞ୍ଜିନିଅରିଂ କଲେଜ ପାଇଁ ନିଶ୍ଚିତ ଭାବରେ ବିଧାନ ସଭାରେ ଦାବୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ସଂସ୍କୃତି ଭବନ ଲୋକାର୍ପଣ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ଏହା ସେ ଦଳର ଜିନ୍‌ ଗତ ତୃଟି ଏବଂ ଏହା ଉଲଟା ଚୋର୍‌ କୋତବାଲ କୋ ଡାଟେଁ ସଦୃଶ । ଏହାକୁ ନେଇ କୌଣସି ବିଶେଷ ପ୍ରତିକ୍ରିୟା ଦିଆଯାଇ ପାରିବନାହିଁ ବୋଲି ମତବ୍ୟକ୍ତ କରିବା ସହ ଯେଉଁମାନେ ବିଶୃଙ୍ଖଳା କରିଛନ୍ତି, ସେମାନେ ହିଁ ଅଭିଯୋଗ କରୁଛନ୍ତି ଯାହାକି ସୈତାନର ବେଦପାଠ ସହ ସମାନ ବୋଲି କହିଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ମଞ୍ଚାସୀନ ଥିବା ବେଳେ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.