ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ୨ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଖୋଲମ୍‌ଖୋଲା ଗୁଣ୍ଡାରାଜ ବଢ଼ି ଚାଲିଥିବା ବେଳେ କ୍ରାଇମ୍‌ ଥମିବାର ନାଁ ନେଉନାହିଁ । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ଯୁକ୍ତତିନି ପ୍ରଥମ ବର୍ଷର ଜଣେ ଛାତ୍ର ଋତୁରାଜ ସିଂଙ୍କୁ ସିମ୍‌ରନ୍‌ ନାମକ ଜଣେ ଯୁବକ ବ୍ଲେଡ୍‌ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଅନ୍ୟ ଜଣେ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ର ଅମିତ ମେହେରଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଋତୁରାଜ ସିଂଙ୍କୁ ଲହୁଲୁହାଣ କରି ବ୍ଲେଡ଼୍‌ରେ ଆକ୍ରମଣ କରିବା ପରେ ଅପରାଧୀ ଜଣକ ସେଲ୍‌ଫି ନେଇଥିବା ଚର୍ଚ୍ଚା ହେଉଛି । ଏହି ଅମାନବୀୟ ଆକ୍ରମଣରେ ଋତୁରାଜ ସିଂ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟ ଛାତ୍ର ଜଣକ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଅପରାଧୀ ସିମ୍‌ରନ୍‌ର ନାଁରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧ ମାମଲାରେ ଥାନାରେ ରହିଥିବା କୁହାଯାଉଛି । ଏବେ ବଲାଙ୍ଗିର ଟାଉନ୍‌ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସାରିଥିବା ବେଳେ ଅପରାଧୀକୁ ମଧ୍ୟ କାବୁ କରି ସାରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.