ବିଧାୟକ ସରୋଜଙ୍କ ଦବ୍‌ଦବାରେ କନକ ଦୁର୍ବଳ : ବିଜେଡିରେ ଯୋଗ ଦେଲେ ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ଶୈଳବାଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦବ୍‌ଦବାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଆଗ ଧାଡିର ନେତା କନକବର୍ଦ୍ଧନଙ୍କ ଶିବିର ଦିନକୁ ଦିନ ଆହୁରି ଆହୁରି ଦୁର୍ବଳ ହେବାରେ ଲାଗିଛି । ପାଟଣାଗଡ ବିଧାୟକ ସରୋଜଙ୍କ ଶିବିର ସମୃଦ୍ଧ ହୋଇ ଚାଲିଥିବା ବେଳେ କନକଙ୍କ ଗଡ କ୍ଷୀଣ ହେବାରେ ଲାଗିଛି । ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବଲାଙ୍ଗିର ଜିଲ୍ଲା ଉପସଭାପତି ତଥା ପୂର୍ବତନ ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ଶୈଳବାଳା ବାଗ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ଶ୍ରୀମତୀ ବାଗ ଜଣେ ବରିଷ୍ଠ ନେତ୍ରୀ ଭାବରେ ସାରା ବଲାଙ୍ଗିର ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବିଜେଡିରେ ତାଙ୍କ ଯୋଗଦାନ ବିଜେପିକୁ ଶକ୍ତ ଧକ୍କା ଦେଇଛି । ସୂଚନାଯୋଗ୍ୟ ଯେ, ଏକଦା ବିଜେପିର ଏକ ଅଭେଦ୍ୟ ଗଡ ଭାବରେ ପାଟଣାଗଡ ନିର୍ବାଚନ ମଣ୍ଡଳିକୁ କୁହାଯାଉଥିବା ବେଳେ ନିଜ ଶକ୍ତି ଓ ସାମର୍ଥ ବଳରେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ବିଧାୟକ ସରୋଜ । ଦୀର୍ଘ ବର୍ଷ ଧରି ପାଟଣାଗଡ ନିର୍ବାଚନ ମଣ୍ଡଳି ବିଜେପି କବ୍ଚାରେ ରହି ଆସୁଥିଲା । କିନ୍ତୁ ନିଜର ପ୍ରଚଣ୍ଡ ସାମର୍ଥ ନେଇ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ଏହାକୁ ଅକ୍ତିଆର କରିବାରେ ସଫଳ ହୋଇଥିଲା । କେବଳ ଏତିକି ନୁହେଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ସରୋଜ ମେହେରଙ୍କ ଲୋକ ପ୍ରିୟତାରେ ଅନୁପ୍ରେରିତ ହୋଇ ହଜାର ହଜାର ରାଜନୀତି କର୍ମୀ ତଥା ରାଜନେତା ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ବେଧଡକ୍‌ ସାମିଲ ହୋଇଛନ୍ତି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଆଗ ଧାଡିର ନେତା କନକଙ୍କ ଗଡ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ବିଜେଡି ବିଧାୟକ ସରୋଜଙ୍କ ଶିବିର ବେଶ୍‌ ସମୃଦ୍ଧ ହେବାରେ ଲାଗିଛି । ତେବେ ପୂର୍ବତନ ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ତଥା ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ଶ୍ରୀମତୀ ଶୈଳବାଳା ବାଗଙ୍କ ଯୋଗଦାନ ବିଜେପି ପାଇଁ ଏକ ପ୍ରଚଣ୍ଡ ଧକ୍କା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.