oom

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୬୨ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୃସିଂହନାଥ ଧର୍ମଶାଳାରୁ ଏକ ଭବ୍ୟ ଶିକ୍ଷାଜ୍ୟୋତି ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ ପାଇକମାଲ ସହର ପରିକ୍ରମା କରି ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲରେ ପହଞ୍ଚି ଥିଲେ । ହୀରକ ଜୟନ୍ତୀ ସମାରୋହ ପାଳନ ଅବସରରେ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ପୁରାତନ ଛାତ୍ର ରୋହିତ ମିଶ୍ର ଫିତାକାଟି ଉନ୍ମୋଚନ କରିବା ପରେ ପୁରାତନ ଛାତ୍ରଛାତ୍ରୀମାନେ ପ୍ରଭୁ ନୃସିଂହନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରୋହିତ କୁମାର ମିଶ୍ର, ଅନିଲ କୁମାର କାଲିଆ, ଜଗମୋହନ ତ୍ରିବେଦୀ, ମହେନ୍ଦ୍ର ସାହୁ, କିଶୋର ଚନ୍ଦ୍ର ସେଠ, ଗିରିଶ ଚନ୍ଦ୍ର ନାଏକ, ଅଶ୍ୱିନୀ କୁମାର ଦାଶ, ଗୁପତରାମ ବାରିକ ପ୍ରମୁଖ ନିଜ ନିଜ ସ୍କୁଲ ପାଠପଢା ସମୟର ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ମହାଦେବ ବେହେରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ନବନିର୍ମିତ ସଭାଗୃହ(ଅଡିଟୋରିୟମ)କୁ ଉଦ୍‌ଘାଟନ କରିଥିଲେ । ଏହାପରେ ଅତିଥିମାନେ ‘ନୃସିଂହ ପ୍ରଭା’ ନାମକ ସ୍ମରଣିକା ବହିକୁ ଉନ୍ମୋଚିତ କରିଥିଲେ । ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଆଲୁମିନି କମିଟିର ସଭାପତି ଅନିଲ କୁମାର କାଳିଆ ସଭାପତିତ୍ୱ କରିଥିଲେ । ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅସିତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ଦଳେଇ, ମୁଖ୍ୟବକ୍ତା ଭାବେ ଛାୟାକାନ୍ତ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପାଇକମାଲ ବିଇଓ ଚୂଡାମଣି ବାରିକ, ବିଜେଡି ନେତା ମହେନ୍ଦ୍ର ବଢ଼େଇ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନାରେ ମହାଦେବ ବେହେରା ଏବଂ ତ୍ରିଲୋଚନ ନାୟକ ସହଯୋଗ କରିଥିଲେ । ପୁରାତନ ଛାତ୍ର ଜଗମୋହନ ତ୍ରିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.