![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଖଲ୍ଲିକୋଟ : ଆସିକାରୁ ଗୋଆ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଛତ୍ରପୁର ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ତଥା ନୂଆ ଟ୍ରେନିଂ ଅଫିସର ରାକେଶ ପ୍ରଧାନ, ଖଲ୍ଲିକୋଟ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଜି. କାମେଶ୍ୱର, କନେଷ୍ଟବଳ ଏସ.ପର୍ଶୁରାମ ରେଡି, ଅଞ୍ଜନ କୁମାର ଦାସ, କାହ୍ନୁ ଚରଣ ନାହାକ, ମନୋଜ ଲେଙ୍କା, ସୁରଜିତ ପ୍ରଧାନ, ଟୁଟୁ ସାମଲ ପ୍ରମୁଖ ଅବକାରୀ କର୍ମଚାରୀମାନେ ଗୁରାପଲ୍ଲୀ ଟୋଲ ଗେଟଠାରେ ବସ ଗୁଡିକୁ ଯାଞ୍ଚ କରୁଥିଲେ । ଗତକାଲି ସକାଳୁ ଜଣେ ଯୁବକ ଏକ ବ୍ୟାଗ ଧରି ନାରାୟଣୀ ଛକରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଖବର ପାଇ ସେଠାକୁ ଯାଇଥିଲେ । ସମ୍ପୃକ୍ତ ଯୁବକକୁ ଜେରା କରିବା ସହ ବ୍ୟାଗକୁ ଯାଞ୍ଚ କରିଥିଲେ । ବ୍ୟାଗରେ ୫ କିଲୋ ୨ଶହ ଗ୍ରାମ ଗଞ୍ଜେଇ ଥିବା ବେଳେ ଏହାକୁ ଜବତ କରିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ଯୁବକ ଜଣକ ଦକ୍ଷିଣ ଗୋଆ ଭାସ୍କଡାଗାମା ଅଞ୍ଚଳର ସୋମ ଗୋପାଲ ନାସ୍କର ବୋଲି ଜଣାପଡିଥିବା ବେଳେ ଆସିକାରୁ ଗୋଆ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ଛତ୍ରପୁର ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ । ଏ ସମ୍ପର୍କରେ ଖଲ୍ଲିକୋଟ ଅବକାରୀ ଥାନା କେସ ନମ୍ବର ୭୫/୨୦୨୨-୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ ।