ଆଜି ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଏବର୍ଷ ମେଳାରେ ୭ ଶହ ଷ୍ଟଲ ନିର୍ମାଣ ହୋଇଛି । ଓଡ଼ିଶାର ବିଭିନ୍ନ ରାଜ୍ୟର ପ୍ରକାଶକମାନଙ୍କ ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ତଥା ପଡ଼ୋଶୀ ଦେଶ ନେପାଳରୁ ପ୍ରକାଶକମାନେ ଯୋଗଦେବେ । ଏହା ବ୍ୟତୀତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ବହୁ ଶିକ୍ଷାନୁଷ୍ଠାନ ଯୋଗଦେବେ । ମେଳାରେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆଲୋକ ବ୍ୟବସ୍ଥା, ସିସିଟିଭି, ଡ୍ରୋନ୍‌ କ୍ୟାମେରା, ସୁରକ୍ଷାକର୍ମୀ ଓ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ପୁସ୍ତକମେଳାକୁ ଅନ୍‌ଲାଇନ୍‌ରେ ଦର୍ଶକମାନେ ଦେଖିବାର ବ୍ୟବସ୍ଥା କରାଯାଇଛି । ଆଜି ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟାରେ ଉଦ୍‌ଘାଟନ କରିବେ । ୧୮ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅତିଥି ଭାବେ ଯୋଗଦେବେ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ ଆସର ଅନୁଷ୍ଠିତ ହେବ । ଏହି ଅବସରରେ ବିଭିନ୍ନ ଭାଷାର ବିଶିଷ୍ଟ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.