jayashree

ବିଶ୍ୱ ଏଡ୍‌ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍‌ ରିବନ୍‌ ଆକୃତିର ମାନବଶୃଙ୍ଖଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ବିଶ୍ୱ ଏଡ୍‌ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍‌ ରିବନ୍‌ ଆକୃତିର ମାନବଶୃଙ୍ଖଳ କରାଯାଇଛି । ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ମାନବଶୃଙ୍ଖଳ ହୋଇଥିଲା । ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ହୋଇଥିବା ଏହି ମାନବଶୃଙ୍ଖଳକୁ ଏସିଆ ବୁକ୍‌ ଅଫ୍‌ ରେକ୍‌ର୍ଡରେ ସ୍ଥାନିତ କରିବାକୁ ଆବେଦନ କରାଯିବ ବୋଲି ଆଇଟିଆଇ କର୍ତ୍ତୃପକ୍ଷ କହିଛନ୍ତି । ବ୍ରହ୍ମପୁର ଆଇଟିଆଇ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଉଦ୍ୟମରେ ଗୁରୁବାର ଏହି ଶିକ୍ଷାନୁଷ୍ଠାନ ପରିସରରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏଡ୍‌ସର ଅନ୍ତ କରିବା ପାଇଁ ୪ ‘ସ’ ଆପଣେଇବାକୁ ପରାମର୍ଶ ଦେଇଥିଲେ । ସତର୍କ, ସଚେତନ, ସାବଧାନ ଓ ସଂଯମ ହେବା ଏବଂ ସମାଜରୁ ଏଡ୍‌ସକୁ ଦୂର କରିବା ବୋଲି କହିଥିଲେ । ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ଅରୁଣା ନିର୍ଦ୍ଦେଶକ ଲୋକନାଥ ମିଶ୍ରଙ୍କ ପରିଚାଳନାରେ ଅନ୍ୟତମ ଅତିଥି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କୈଳାଶ ଚନ୍ଦ୍ର ସାହୁ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ନାରାୟଣ ଚରଣ ପଟ୍ଟନାୟକ କହିଲେ ଏଡ୍‌ସ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ସଚେତନତା ଓ ସଂଯମତାର ଏହି ଧାରା ଜାରି ରହିଲେ ବିଶ୍ୱ ଏଡ୍‌ସ ମୁକ୍ତ ହୋଇପାରିବ ବୋଲି କହିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଅରୁଣାର ସମ୍ପାଦିକା ସୌଦାମିନୀ ରଥ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.