ବରଗଡ଼, (ନିରୋଜ କୁମାର ପାଣୀ) : ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ମଧ୍ୟ ମଣିଷର ମାନସିକତା ଭିତରେ ବସା ବାନ୍ଧିଛି ମଧ୍ୟଯୁଗର ଘୃଣାଭାବ ଓ ଜାତି ପ୍ରଥା । ମାନବ ଜାତିକୁ ସମଗ୍ର ପ୍ରାଣୀ ଜଗତରେ ଶ୍ରେଷ୍ଠ ଜାତି ଭାବରେ ଗଣନା କରାଯାଉଥିଲେ ମଧ୍ୟ ଏଠାରେ ଲଜ୍ଜିତ କରିଛି ସମଗ୍ର ମାନବ ଜାତିକୁ । ଯେଉଁଠି ମନୁଷ୍ୟ ଅଛନ୍ତି, ସତ କିନ୍ତୁ ମଣିଷତ୍ଵ ନାହିଁ । ଏପରି ଏକ ମଣିଷତ୍ଵ ହଜିଯାଇଥିବା ଗ୍ରାମ ହେଉଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଅଁଏଲାପାଳି ପଞ୍ଚାୟତର ଗୁରୁପାଲି ଗ୍ରାମ । ଉକ୍ତ ଗ୍ରାମରେ ଉତ୍ତରା ବେହେରା ନାମକ ଜଣେ ୪୫ବର୍ଷ ମହିଳା ଦୀର୍ଘଦିନରୁ ଏକ ବନ୍ଦ କାଠରୀ ମଧ୍ୟରେ ପଡି ରହିଥିଲେ । ତାଙ୍କର ଉଭୟ ଗୋଡ଼ ପଚି ଯାଇଥିଲା । ଜିଆନ୍ତା ଅବସ୍ଥାରେ ତାଙ୍କର ଉଭୟ ଗୋଡକୁ ପୋକ ଓ ପିମ୍ପୁଡି ଖାଉଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଚିକିତ୍ସା ନା ସମ୍ପର୍କୀୟ ଲୋକେ କରୁଥିଲେ ନା ସାହି ପଡିଶା ଲୋକେ କରୁଥିଲେ । ଏପରି ପରିତ୍ୟକ ଅବସ୍ଥାରେ ପଡିରହିଥିଲେ ମହିଳା ଜଣକ । ପରେ ସୋସିଆଲ ମିଡ଼ିଆରୁ ସଂକଳ୍ପ ପରିବାର ଜାଣିବାକୁ ପାଇଥିଲେ । ପୁଣି ଗ୍ରାମର ଜଣେ ଦରଦୀ ମହିଳା ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲଙ୍କ ସହିତ ଯୋଗାଯଗ କରିଥିଲେ । ହେଲେ କାହିଁକି କେଜାଣେ ତାଙ୍କ ନାମ ଗୋପନ ରଖିବାକୁ କହିଥିଲେ । ମହିଳା ଜଣଙ୍କ କଥାକୁ ଗୁରୁତ୍ୱ ଦେଇ ସଙ୍ଗେ ସଙ୍ଗେ ସଂକଳ୍ପ ପରିବାରର ସଦସ୍ୟ ଗୁରୁପାଲି ଗ୍ରାମକୁ ପହଞ୍ଚିଥିଲେ । କିନ୍ତୁ ସେଠି ପହଞ୍ଚି ଦେଖିଲା ବେଳକୁ ଘଟଣାଟି ବହୁତ ଭୟଙ୍କର ଥିଲା । ଯାହା ଶୁଣିଥିଲେ, ତାଠାରୁ ଢେର ଅଧିକ ଥିଲା । ଅସହାୟ ଉତ୍ତରାଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଅଣାଯାଇଥିଲା । ଆଣିବା ସମୟରେ ଶହ ଶହ ଲୋକେ ଦୂରରୁ ନାକ ବନ୍ଦ କରି ଚାହିଁ ରହିଥିଲେ । ହେଲେ କେହି ମଧ୍ୟ ସାହାଯ୍ୟର ହାତ ବଢ଼ାଇ ନଥିଲେ । ଅସହାୟ ଉତ୍ତରାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥୁବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସଂକଳ୍ପ ପରିବାରର ସଭାପତି ରୋହିତ ଜୟସ୍ୱାଲ, ବିକାଶ ଅଗ୍ରୱାଲ, ଜି ରମେଶ ,ସନ୍ତୋଷ ଦନ୍ତା ପ୍ରମୁଖ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ନେଇ ଯାଇଥିଲେ । ବର୍ତମାନ ସେ ବୁର୍ଲା ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ହୋଇ ନଥିବାରୁ ତାଙ୍କର ଉଭୟ ଗୋଡ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି, ଯାହା ଅପରେସନ କରି କାଟିବାକୁ ପଡିବ । ଠିକ୍ ସମୟରେ ଚିକିତ୍ସା ହୋଇଥିଲେ ହୁଏତ ତାଙ୍କର ଗୋଡ କାଟିବାକୁ ପଡି ନଥାନ୍ତା ।
Next Post