ମକା ଅଭାବୀ ବିକ୍ରି : ଚାଷୀର ମୁଣ୍ଡା ବିନ୍ଧା ସାଜିଛି

ଟିଟିଲାଗଡ , (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ କୁଶକେଲା ପଞ୍ଚାୟତରେ ଦେଖା ଦେଇଛି ମକାର ଅଭାବୀ ବିକ୍ରି । ଚାଷୀମାନେ ଖର୍ଚ୍ଚ କରିଛନ୍ତି ହଜାର ହଜାର ଟଙ୍କା । ଚାଷ ପାଇଁ ବିନିଯୋଗ କରିଥିବା ଟଙ୍କ ର ଭରଣା ପାଉଥିବା ଦୂର କଥା, ମକା ବିକ୍ରି ହେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଦଲାଲଙ୍କ ହାତରେ ମକା କମ ଦାମରେ ବିକ୍ରି କରି ଅନେକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

ରାସ୍ତା ଉପରେ ଗଡ଼ୁଛି ମକା । କେଉଁଠି ରାସ୍ତା ଉପରେ ସହ ସହ ଟ୍ରିପ ରହିଛି ତ ଆଉ କେଉଁଠି ଖଳା ଉପରେ ପଡ଼ି ରହିଛି ମକା । ଯେଉଁଆଡେ ନଜର ପକେଇବା ଖାଲି ମକା ହିଁ ଦିଶିବ, ସେ ରାସ୍ତା ଘାଟ ହେଉ ବା ଖେତ ଖଳା ହେଉ କି ବିଲବାଡି ହେଉ । ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ମକାରୁ ମଞ୍ଜି ବାହାର କରିବାରେ । ଫସଲ ମଧ୍ୟ ପୂର୍ବାପେକ୍ଷା କମି ଯାଇଛି । ହେଲେ ଯେଉଁଠି ହୋଇଛି ଭଲ ହୋଇଛି । ତଥାପି ଏମାନଙ୍କ ଦୁଃଖ ଚରମ ସୀମାରେ ରହିଛି । ମକା ଚାଷୀମାନଙ୍କ ପାଇଁ ନା ମଣ୍ଡିର ବ୍ୟବସ୍ଥା ରହିଛି ନା ବଜାରର ବ୍ୟବସ୍ଥା । ଚାଷୀମାନଙ୍କୁ ମକା କ୍ଵିଣ୍ଟାଲ ପିଛା ଏକ ହଜାର ଟଙ୍କା ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ଚାଷ ଆରମ୍ଭ କରୁଥିବା ସମୟରେ ମକା ବିହନ ଠୁ ଆରମ୍ଭ କରି ସାର ପର୍ୟ୍ୟନ୍ତ ବାରରୁ ଚଉଦ ଶହ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିଛନ୍ତି । ତେବେ ଅଭାବୀ ବିକ୍ରିର ଶିକାର ହୋଇ ଚିନ୍ତାରେ ଚାଷୀ । ସରକାର ଚାଷୀମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି, ହେଲେ ଏସବୁ କାଗଜପତ୍ର ଓ ଘୋଷଣାରେ ସୀମିତ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ମହାମାରୀ କୋରୋନା ପାଇଁ ଚାଷୀଙ୍କ ଅବସ୍ଥା ଦୋହଳି ପଡ଼ିଥିଲା । ଏବେ ଅବସ୍ଥା ଟିକିଏ ସୁଧୁରିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ନିଜ ପରିଶ୍ରମ ତ ଦୂରର କଥା ଚାଷର ବିନିଯୋଗ ଅର୍ଥ ମଧ୍ୟ ମିଳୁନି । କୃଷି ଅଧିକାରୀ କହନ୍ତି ମକା ଚାଷ ଭଲ ହୋଇଛି ଓ ମଣ୍ଡିରେ କ୍ଵିଣ୍ଟାଲ ପିଛା ଅଠର ଶହ ଟଙ୍କା ବିକ୍ରି ମୂଲ୍ୟ ଧାର୍ୟ୍ୟ କରାଯାଇଛି । ମଣ୍ଡିର ବ୍ୟବସ୍ଥା କରିବା ପାଇଁ କଣ୍ଟାବାଞ୍ଜି ବଜାର ନିୟନ୍ତ୍ରିତ କମିଟି ସହ ଯୋଗାଯୋଗ ଚାଲିଛି । ଏ ନେଇ କୃଷି ଅଧିକାରୀ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିବା କଥା କହିଛନ୍ତି । ଏବେ ଆରଏମସି ଉପରେ ଦାୟିତ୍ଵ । ଚାଷ ଓ ଚାଷୀଙ୍କ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଅନେକ ଯୋଜନା, ହେଲେ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ନ ପାରିବାରୁ ଆଜି ବି ଚାଷୀ ଉଚିତ୍ ମୂଲ୍ୟ ପାଇ ପାରୁନାହାନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଚାଷୀ କିପରି ତାଙ୍କ ମକାର ଉଚିତ୍ ମୂଲ୍ୟ ପାଇ ପାରୁଛନ୍ତି ନା ନାହିଁ ।

Leave A Reply

Your email address will not be published.