
ଜୟପାଟଣା, (ଶେଷଦେବ ବେହେରା) : ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ଅନେକ ପ୍ରୟାସର ସହିତ ଐତିହାସିକ ପଦକ୍ଷେପମାନ ଗ୍ରହଣ କରି ଚାଲିଥିବା ସତ୍ତ୍ୱେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକଙ୍କ ଅଭାବ ପୁଣି ଏକ ଗତାନୁଗତିକ ପରମ୍ପରା ଆଡେ ଛାତ୍ରମାନଙ୍କ ଭବିଷ୍ୟତକୁ ଅଣଦେଖା କରି ଆସୁଥିବା ଅଭିଯୋଗ ଆସୁଛି । ଗତ ଶୁକ୍ରବାର ଦିନ ଜୟପାଟଣା ବ୍ଲକ ଅନ୍ତର୍ଗତ ସାସ୍ତୁଗୁଡ଼ା ଓ ଅଁଳାଭଟା ଠାରେ ସରକାରଙ୍କ ବହୁ ପ୍ରତିକ୍ଷିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭୂମି ପୂଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୂମି ପୂଜନ ଉତ୍ସବକୁ ଅନେକ ଅଭିଭାବକ, ଛାତ୍ରଛାତ୍ରୀ ଉତ୍କଣ୍ଠାର ସହିତ ସ୍ଵାଗତ କରିଥିଲେ । କିନ୍ତୁ ସାସ୍ତୁଗୁଡ଼ା ଠାରେ ଆୟୋଜିତ ଭବ୍ୟ ସମାରୋହ ଉପସ୍ଥିତ ଜନସାଧାରଣ, ଛାତ୍ରଛାତ୍ରୀଙ୍କୁ ଯେତିକି ପରିମାଣରେ ବିଦ୍ୟାଳୟରେ ସମ୍ଭାବ୍ୟ ପରିପାଟିକୁ ନେଇ ଯେତିକି ଆନନ୍ଦିତ କରିଥିଲା ସେତିକି ପରିମାଣରେ ନିମ୍ନ ମାଧ୍ୟମିକ ସ୍ତରରେ ଶିକ୍ଷକ ଅଭାବ ସେତିକି ପରିମାଣରେ ବ୍ୟଥିତ କରିଥିଲା । ସାସ୍ତୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସୂଚନାରୁ ପ୍ରକାଶ । ନବମ ଓ ଦଶମ ଶ୍ରେଣୀ ପାଇଁ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଶିକ୍ଷକ ପଦବୀ ପାଖାପାଖି ପୂରଣ ହୋଇଥିବା ଜଣାପଡ଼ିଛି । କିନ୍ତୁ ବିଦ୍ୟାଳୟର ପୃଷ୍ଠ ଭୂମିକାକୁ ଦେଖି ବିଦ୍ୟାଳୟରେ ପାଦ ଥାପିଥିବା ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୭୯ ରହିଥିବା ବେଳେ ଶିକ୍ଷକ ସଂଖ୍ୟା ମାତ୍ର ଜଣକରେ ସୀମିତ ରହିଥିବା ଏକ ଦୁର୍ଭାଗ୍ୟ ଜନକ ସ୍ଥିତି ଉତ୍ପନ୍ନ କରିସାରିଛି । ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆସୁଥିବା ବେଳେ ସେହି ନବ ଗଠିତ ଆଦର୍ଶ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକଙ୍କୁ ନେଇ କେମିତି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ତାହା ସମସ୍ତଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିସାରିଛି । ସଂପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଓ ସ୍ଥାନୀୟ ଶିକ୍ଷା ପ୍ରେମୀ ବିଭିନ୍ନ ସମୟରେ ଜୟପାଟଣା ବିଇଓ ଏବଂ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲେ ମଧ୍ୟ କୌଣସି ସଠିକ୍ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି । ଏବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଘୋଷଣା ପରେ ସ୍ଥାନୀୟ ଅଧିକାରୀ ମାନେ କେବଳ ଭିତ୍ତି ଭୂମିର ବିକାଶ ଦେଖିବେ ନା ଛାତ୍ରମାନଙ୍କ ପାଇଁ ଆବଶ୍ୟକୀୟ ଶିକ୍ଷକ ଯୋଗାଇବାରେ ଯତ୍ନବାନ ହେବେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।