ପାଟଣାଗଡ, (ଗୋରେଖନାଥ ବରିହା) : ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ପାଇଁ ପ୍ରତ୍ୟେକ ଗ୍ରାମବାସୀ ପ୍ରୟାସ କରନ୍ତି କିନ୍ତୁ ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ଗାଁରେ ଗ୍ରାମ କମିଟିଙ୍କ ଭୁଲ ନିଷ୍ପତି ପାଇଁ ଆଜି ଗାଁ ବଦନାମ ମୁଣ୍ଡାଇବା ସହ ଜିଲ୍ଲାରେ ଏକ ନକାରାତ୍ମକ ସନ୍ଦେସ ବି ଯାଉଛି ବୋଲି ଅଭିଯୋଗ ହେଉଛି । ବର୍ଷକୁ ୨୦ ହଜାର ଟଙ୍କା ଦେଇ ପ୍ରାୟ ୩୦ରୁ ଅଧିକ ବ୍ୟକ୍ତି ବେଆଇନ ଭାବେ ରନ୍ଧା ମଦ ପ୍ରସ୍ତୁତ ଏବଂ ବିକ୍ରି କରୁଛନ୍ତି । ଉକ୍ତ ବେଆଇନ ଅର୍ଥ ରାଶି ଦମେଇପାଲି ଗାଁ କମିଟି ନେଉଥିବା ବେଳେ ଏହି ଟଙ୍କାରେ ଯାନିଯାତ୍ରା ହେଉଥିବା ନେଇ ଗିରଫ ବ୍ୟକ୍ତିମାନେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ଲକ୍ଡାଉନ ସମୟରେ ଦେମଇପାଲି ଗାଁର କିଛି ବ୍ୟକ୍ତି ମହୁଲପୋଚରେ ବେଆଇନ ଭାବେ ରନ୍ଧା ମଦ ପ୍ରସ୍ତୁତ ଆରମ୍ଭ କରିଥିଲେ । ସେମାନଙ୍କ ଦବଦବା ଏତେ ଥିଲା ଯେ ଗାଁରେ ସରକାରୀ ମଦ ବନ୍ଦ ହୋଇଗଲା, ଯାହାଫଳରେ ଗାଁର ଅନେକ ବ୍ୟକ୍ତି ଏକ ବୈଠକ କରି ଚାରି ମାସରେ ୫ ହଜାର ଟଙ୍କା ଦେଇ ଯେ କେହିି ଗ୍ରାମବାସୀ ମଦ ପ୍ରସ୍ତୁତ କରିବା ଏବଂ ବିକ୍ରି ପାଇଁ ନିଷ୍ପତି ହେଲା । ପରେ ଗାଁରେ ବେଆଇନ ରନ୍ଧାମଦକୁ କୁଟୀରଶିଳ୍ପ ଭାବରେ ଗ୍ରହଣ କଲେ ପ୍ରାୟ ୩୦ରୁ ଅଧିକ ଗ୍ରାମବାସୀ ଯାହା ବର୍ଷକୁ ୬ ଲକ୍ଷ ଟଙ୍କା ଗ୍ରାମ କମିଟି ସଭାପତି ବିନୋଦ ବରିହାଙ୍କ ମାଧ୍ୟମରେ ଦେଉଥିବା ସୂଚନା ଦେଇଛନ୍ତି । ଏ ବିଷୟରେ ଲଗାତାର ମଦ ମାଫିଆଙ୍କ ବିଷୟରେ ଅବକାରୀ ବିଭାଗ ପାଖରେ ଖବର ହେବା ପରେ ଅବକାରୀ ବିଭାଗର ଟିମ୍ ଅବକାରୀ ସୁପରିଟେଣ୍ଡେଂଟ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶରେ ଆଜି ସକାଳୁ ଏକ ବଡ ଧରଣର ଚଢାଉ କରିଛି । ଜିଲ୍ଲାର ୧୨ଟି ଅବକାରୀ ଷ୍ଟେସନର ୮ଟି ଟିମ୍ ଆଜି ଏକ କାଳୀନ ଚଢାଉ କରିଥିଲେ । ବଲାଙ୍ଗିର ଅବକାରୀ ଇନ୍ସପେକ୍ଟର ସରୋଜ ପରିଡା ଏବଂ ପାଟଣାଗଡ ଅବକାରୀ ଓଆଇସି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଦମେଇପାଲିରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଗାଁ ଭିତରୁ ହରେକୃଷ୍ଣ ବରିହାଙ୍କଠାରୁ ୧୫୦ ଲିଟର, ଦଶୃ ବରିହାଙ୍କ ଠାରୁ ୫୦ ଲିଟର, ଖଗେଶ୍ୱର ରଣାଙ୍କ ଠାରୁ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ବିଜୟ ବେହେରାଙ୍କ ଠାରୁ ୧୧୦ ଲିଟର ରନ୍ଧା ମଦ ଏବଂ ୨୪ଟି ବିୟର ଜବତ କରାଯାଇଛି । ସେହିଭଳି ରନ୍ଧା ମଦ ପ୍ରସ୍ତୁତ ପାଇଁ ଘଂଚ ଜଙ୍ଗଲର ବିଭିନ୍ନ ସ୍ଥାନରେ ୬୪ କୁଇଂଟାଲ ମହୁଲ ପୋଚ ଏବଂ ୫୫୦ ଲିଟର ବେଆଇନ ମଦକୁ ନଷ୍ଟ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଭାବେ ବେଲପଡା ଅତିରିକ୍ତ ତହସିଲଦାର, ବଲାଙ୍ଗିର ଅବକାରୀ ଓଆଇସି ପଦ୍ମଲୋଚନ ନାଏକ, କଂଟାବାଂଜି ଓଆଇସି ବଳରାମ ପଧାନ, ଟିଟିଲାଗଡ ଓଆଇସି ମଳୟ ପ୍ରଧାନ, ବଙ୍ଗୋମୁଣ୍ଡା ଅଧିକାରୀ ଦୟାନିଧି ବାରିକ ବଲାଙ୍ଗିର ମୋବାଇଲ ୟୁନିଟର ପ୍ରତିମା ଏକ୍କା, ଗୀତାଞ୍ଜଳି କୁମ୍ଭାର, ରମାଂଶୁ ଷଡଙ୍ଗୀ, ଅଜିତ ସାହୁ, ଗୁଲମତି ମାଝି ପ୍ରମୁଖ ସାମିଲ ଥିଲେ ।