ସୋନିଆଙ୍କୁ ଇଡିର ଜେରା ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସର ବିକ୍ଷୋଭ

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୂରୁପଯୋଗ କରୁଛି କେନ୍ଦ୍ର ସରକାର : ଅଭିଯୋଗ କଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋନିଆଙ୍କୁ ଇଡିର ଜେରା ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠୁ ଦେଶର ସମସ୍ତ ସାମ୍ବିଧାନିକ ସଂସ୍ଥା ଗୁଡିକୁ ନିଜ ଇଚ୍ଛା ଅନୁସାରେ ବେଆଇନ ଭାବେ ପରିଚାଳିତ କରୁଛି । ଦେଶରେ ନିରପେକ୍ଷ ତଦନ୍ତ ସଂସ୍ଥା ସିବିଆଇ ହେଉ କି ନ୍ୟାୟପାଳିକା ସବୁଥିରେ ମୋଦୀ ସରକାରର ବେଆଇନ ହସ୍ତକ୍ଷେପ । କେତେବେଳେ ସିବିଆଇ ଲଗାଇ ତ କେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଶର ବିରୋଧି ଦଳ ନେତୃତ୍ୱମାନଙ୍କ ବିରୁଦ୍ଧରେ ଲଗାଇ ସେମାନଙ୍କୁ ଭୟଭୀତ କରିବାରେ ଲାଗିଛି । ଯଦି ଏପରି ବେଶି ଦିନ ଚାଲେ ତେବେ ଦେଶର ସରକାର ଏକଛତ୍ରବାଦିତା ଚରମସୀମା ଛୁଇଁବ । ତେଣୁ ଆଜି ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିର ଚେତାବନୀ ଦେଇଛି ମୋଦୀ ସରକାର ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଆଗାମୀ ଦିନରେ ଦେଶର ସାଧାରଣ ଜନତା ଏପରି ଏକଛତ୍ରବାଦୀ ସରକାରକୁ ଉଖାଡି ଫିଙ୍ଗିଦେବେ ବୋଲି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଇଡିର ଜେରାକୁ ପ୍ରତିବାଦ କରି ଅନୁଷ୍ଠିତ ହୋଇଥିବା ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା କହିଛନ୍ତି । ଜିଲ୍ଲା ଉପସଭାପତି ମନୀଷ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ବିଜେପି ସରକାର ବିରୁଦ୍ଧରେ ଖୁବ୍‌ ବର୍ଷିଥିଲେ । ସେମାନେ କହିଥିଲେ ମୋଦୀ ସରକାର ଗାନ୍ଧୀ ଓ ନେହେରୁ ପରିବାରକୁ କାହିଁକି କେଜାଣି ବହୁତ ଭୟ କରୁଛି । ମୋଦୀ ସରକାର ଜାଣିଗଲେଣି ତାଙ୍କର ମିଛ ଆଉ ବେଶି ଦିନ ଚାଲିବ ନାହିଁ । ରୋଜଗାର ସୃଷ୍ଟି କରିବା, ପେଟ୍ରୋଲ, ଡିଜେଲ ମୂଲ୍ୟ କମାଇବା, କଳା ଟଙ୍କା ବିଦେଶରୁ ଆଣିବା, ଦରଦାମ କମାଇବା ଇତ୍ୟାଦି ପ୍ରତିଶୃତି ଯେତେବେଳେ ଫେଲ୍‌ ମାରିଛି । ଏ ସବୁ ସମସ୍ୟାରୁ ଲୋକଙ୍କର ଧ୍ୟାନ ହଟାଇବା ପାଇଁ ମୋଦୀ ସରକାର କଂଗ୍ରେସ ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବେଆଇନ ଭାବରେ ବଦନାମ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନୋଟିସ୍‌ ଜାରି କରୁଛନ୍ତି । ଏପରି ଚକ୍ରାନ୍ତକୁ ଦେଶବାସୀ ଜାଣି ସାରିଲେଣି । ତେଣୁ କେନ୍ଦ୍ର ସରକାର ଏଥିରୁ ଦୁରରେ ରହୁ ନଚେତ କଂଗ୍ରେସ ଆଗକୁ ତୀବ୍ର ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କଂଗ୍ରେସ ନେତା ଅସୀତ ମିଶ୍ର, ସାନନ୍ଦ ମିଶ୍ର, ଅଜୟ ବାଲି, ସନ୍ତକ ବହିଦାର, ଆରତିପ୍ରୀତି ନାଗ, ପ୍ରେମ ପ୍ରକାଶ ମିଶ୍ର, ବୁଲୁ ଦାନୀ, ମୟ ପ୍ରଧାନୀ, ଗଗନ ନାଥ, ସରୋଜ ରଥ, ଶ୍ରୀଧର ବାରିକ, କାନ୍ତେଶ୍ୱର ପ୍ରଧାନ, ଉମାକାନ୍ତ ସାହୁ ଓ ଜୁଲୁ ପଟ୍ଟନାୟକ ପ୍ରମୁଖ ନିଜ ବକ୍ତବ୍ୟରେ ବିଷୋଦାଗାର କରିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବବିତା ସାହୁ, ସାଇନି ବେଗମ, କାଉନସିଲର ପ୍ରଦୀପ ମିଶ୍ର, ବଜରଂଗ ବନଛୋର, ଅଖଣ୍ଡ ସେଠ, ଛୁପୁଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.