ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିଦାନନ୍ଦ ଆଶ୍ରମଠାରେ ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ କହିଥିଲେ ଯେ’ ଗୁରୁ ପୂର୍ଣ୍ଣିମା ହେଉଛି ବ୍ୟାସଦେବଙ୍କ ଜନ୍ମଦିନ । ଏହି ଦିନ ବ୍ୟାସଦେବ ନିଜକୁ ତାଙ୍କ ଗୁରୁଙ୍କ ନିକଟରେ ସମର୍ପିତ କରି ମହାଭାରତ ରଚନା କରିଥିଲେ । ଗୁରୁ ଶିଷ୍ୟ ପରମ୍ପରା, ଭକ୍ତ ଓ ଭଗବାନଙ୍କ ସଂପର୍କର ସେତୁ ଦୃଢ କରେ । ବାପା ମା’ ଯେପରି ପିଲାମାନଙ୍କ ହାତ ଧରି ଆଗକୁ ବଢାଇଥାନ୍ତି ଏବଂ ଜୀବନରେ ଶ୍ରେଷ୍ଠ ମଣିଷ ହେବାପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ସେହିପରି ଗୁରୁ ଶିଷ୍ୟଙ୍କ ଜୀବନରେ ସଫଳତା ମାର୍ଗ ଦର୍ଶନ ପାଇଁ ଦିଗଦର୍ଶନ ଦେଇଥାନ୍ତି । ଗୁରୁଙ୍କ ପଥ ଅନୁସରଣ କରି ସଦଗୁଣ, ଶକ୍ତି, ସୁଖଶାନ୍ତି ଓ ସମୃଦ୍ଧି ଲାଭ କରିଥାନ୍ତି । ଯେଉଁଥିରେ ପ୍ରସନ୍ନତା, ନିୟମିତତା, ନିରହଙ୍କରତା, ଅମାୟିକତା, ସରଳତା, ସତ୍ୟବାଦୀତା, ଏକାଗ୍ରତା, ଅବିକ୍ଷୁବ୍ଧତା, ସଂଯୋଜନଶୀଳତା, ନମ୍ରତା, ଦୃଢତା, ନୈତିକତା, ଉଦାରତା, ମହାନୁଭବତା, ଦାନଶୀଳତା, ବଦାନ୍ୟତା, ପବିତ୍ରତା ପ୍ରଭୃତି ଗୁରୁଙ୍କର ପ୍ରେରଣା ଓ ସାଧନା ବଳରେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ମୋର ନାଥ ହିଁ ଜଗନ୍ନାଥ । ମୋର ଗୁରୁହିଁ ଜଗତଗୁରୁ, ମୋର ଆତ୍ମା ସବୁ ଭୂତର ଆତ୍ମା ଅତଏବ ଜଗତ ଗୁରୁ ଜଗନ୍ନାଥ ଏବଂ ସର୍ବ ଭୂତର ଆତ୍ମା ରୂପକ ଶ୍ରୀଗୁରୁ ଚିରବନ୍ଦନୀୟ । ସଂଘର ସଂପାଦକ ରବିନ୍ଦ୍ର କୁମାର ପାଣ୍ଡବ ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିବା ସହ ଗୁରୁ ପୂର୍ଣ୍ଣିମା ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ଓ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ଲେଙ୍କା, ଉପସଭାପତି ନଟବର ଦାସ, ବିଜୟାନନ୍ଦ ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା, ଦିଗମ୍ବର ପାଢୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଗୁରୁପାଦ ପୂଜା, ଗୁରୁ ସ୍ରୋତମ୍, ଶିବାନନ୍ଦ ସ୍ରୃତି ଓ ଭଜନ କୀର୍ତ୍ତନରେ ବ୍ରଜକିଶୋର ସାହୁ, ପୁଷ୍ପାବାଳା ପ୍ରଧାନ, ପ୍ରତିମା ସାହୁ, ଉର୍ମିଲା ସ୍ୱାଇଁ ଓ ପ୍ରତିଭା ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ବିଜୟ ସାହୁ, କାଳନ୍ଦୀ ବାରିକ, ଉମେଶ ପୃଷ୍ଟି, ଆରଏନ ତ୍ରିପାଠୀ, ନରେଶ ପଲାଇ, ବୈକୁଣ୍ଠ ନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.