ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉଲୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ବିଭିନ୍ନ କାର୍ଯ୍ୟର ପରିଦର୍ଶନ କରିବା ସହିତ ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଉଲୁଣ୍ଡା ବ୍ଲକ ସ୍ଥିତ ତେଲେଣ୍ଡା ରାମଚଣ୍ଡୀ ମନ୍ଦିର ଦର୍ଶନ କରିବା ସହିତ ନିମ୍ନା ପଞ୍ଚାୟତ, ୟୁପି ସ୍କୁଲ ଏବଂ ବିଶିପଡା ୫ଟି ସ୍କୁଲ ପରିଦର୍ଶନ କରିଥିଲେ । ପରେ ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଯୋଗଦାନ କରି ଜିଲ୍ଲାର ଜଙ୍ଗଲ ସୁରକ୍ଷା ଓ ବଣିକରଣ ଏବଂ ପଞ୍ଚାୟତର ପାଣ୍ଠିର ସୁବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସ୍ତରରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ବ୍ୟବସ୍ଥିତ ଓ ସଫଳ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଝସକେତନ ବଘାର, ଜୋନ -୧ ଜିଲ୍ଲା ପରିଷଦ ବିଜୟଲକ୍ଷ୍ମୀ ତରାଇ, ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ଉଲୁଣ୍ଡା ବ୍ଲକ ଉପାଧକ୍ଷ ସଂଜୀବ ଦେହେରି, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ବ୍ଲକର ସମସ୍ତ ସରପଂଚ, ସମିତି ସଭ୍ୟ ଓ ସମିତି ସଭ୍ୟା ବ୍ଲକରେ କାର୍ଯ୍ୟରତ ଥିବା ସମସ୍ତ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।ସେହିପରି ଅପରାହ୍ନରେ ମନ୍ତ୍ରୀ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ଜଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ସେହିପରି ପଞ୍ଚାୟତିରାଜ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଏମଜି ଏନଆରଇଜିଏସ, ରୁରାଲ ହାଉସିଂ, ଓଡିଶା ଜୀବିକା ମିଶନ, ଆମ ଗାଁ ଆମ ବିକାଶ, ମିଶନ ଶକ୍ତି ଗୃହ, ଏସସିଏଫ ଓ ସିଏଫସି, ତଥା ଗ୍ରାମିଣ ବିଦ୍ୟୁତ ପ୍ରଭୁତି ଯୋଜନାର କାର୍ଯ୍ୟକାରିତାର ବିଶେଷ ତଥ୍ୟକୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କଁହର ବୈଠକରେ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭାଗୀୟ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବା ସହିତ ଓଡିଶା ଜୀବିକା ମିଶନର କାର୍ଯ୍ୟକାରିତାକୁ ଗୁରୁତ୍ୱାରୋପ ପୂର୍ବକ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ନୀତିଶ କୁମାର, ଆରଡବ୍ଲୁଏସଏସ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା, ଏସିଏଫ ପ୍ରଫୁଲ ଧରୁଆ, ସମସ୍ତ ବିଡିଓ, ସମସ୍ତ ତହସିଲଦାର, ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.