lika

ସମ୍ବଲପୁରୀ କବିତା ସଂକଳନ ‘ଆସୁଛେ ସମିଆଁର କହଁର’ ଲୋକର୍ପିତ

gbag

ସମ୍ବଲପୁର : ଆବେଗ, ଅନୁଭବ ଓ ଅନ୍ୱେଷା ଏହି ତିନୋଟି ଗୁଣ ନେଇ କବି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରେ । କବିତାରେ ଚିତ୍ରକାଳ୍ପିକ ଉପସ୍ଥାପନା, ଶବ୍ଦ ଓ ଭାବ ଗୁମ୍ଫନ ଆଦିରେ ଏହି ଗୁଣତ୍ରୟର ଯଥେଷ୍ଟ ଅବଦାନ ରହିଥାଏ ବୋଲି ଆଜି ‘ଅନ୍ୟା’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଶିଷ୍ଟ ଓଡିଆ କବି ତଥା ସମାଲୋଚକ ସୌଭାଗ୍ୟବନ୍ତ ମହାରଣାଙ୍କ ପ୍ରଥମ ସମ୍ବଲପୁରୀ କବିତା ସଂକଳନ ‘ଆସୁଛେ ସମିଆଁର କହଁର’ର ଲୋକାର୍ପଣ ଉତ୍ସବରେ ଉନ୍ମୋଚକ ଡ.ପ୍ରଦୀପ କୁମାର ପଣ୍ଡା ମତ ରଖିଥିଲେ । ବୁଢାରଜା ସ୍ଥିତ ହୋଟେଲ ଡଲଫିନ୍ ସଭାକକ୍ଷଠାରେ ଡ.ଦ୍ୱାରିକାନାଥ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ଆଲୋଚକ ଡ.ଗୌରିଦାସ ପ୍ରଧାନ ସଂକଳନର ସମୀକ୍ଷା କରି କହିଥିଲେ ଯେ, କବି ଶ୍ରୀ ମହାରଣାଙ୍କ ଏହି ସଂକଳନରେ ସ୍ଥାନିତ ୫୭ କବିତା ସାମ୍ପ୍ରତିକ କାବ୍ୟଧାରା ଓ କାବ୍ୟଚେତନାର ବାର୍ତ୍ତାବହ ସଦୃଶ ଯାହା ଅବଶ୍ୟ ଆଧୁନିକ ସମ୍ବଲପୁରୀ ସାହିତ୍ୟ ଜଗତରେ ଏକ ନୂତନ ଆଲୋଡନ ସୃଷ୍ଟି କରିବାର କ୍ଷମତା ରଖୁଛି, ଯାହାକି ସମ୍ବଲପୁରୀ ଭାଷାରେ ଆଧୁନିକ କବିତା ରଚନା କରୁଥିବା ଯୁବପୀଢୀଙ୍କ ନିମନ୍ତେ ଦିଗଦର୍ଶନ ଓ ପ୍ରେରଣାଦାୟକ ସିଦ୍ଧ ହେବ । ସଭା ପ୍ରାରମ୍ଭରେ କବି ଶ୍ରୀ ମହାରଣା ତାଙ୍କ ପ୍ରଥମ ସମ୍ବଲପୁରୀ କବିତା ସଂକଳନ ବାବଦରେ ସୂଚନା ଦେବା ସହ ସମ୍ୟକ ଆଲୋଚନା କରିଥିଲେ । ସଭାରେ ଡ.ସତ୍ୟନାରାୟଣ ଠାକୁର କବିଙ୍କ ସଦ୍ୟ ସଂକଳନରୁ ଏକ କବିତା ଆବୃତି କରିଥିଲେ । ଡ.ଗୋବିନ୍ଦ ମହାରଣା, ଡ.ଶ୍ୟାମ ଭୋଇ ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ ଶତୃଘନ ଲାଲ ସାହା, ପ୍ରଶାନ୍ତ ମାଝୀ, ରମେଶ ଚନ୍ଦ୍ର ମିର୍ଦ୍ଧା, ବୃନ୍ଦାବନ ମିଶ୍ର, କମଳଲୋଚନ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଡ.ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.