କବିତା : ପ୍ରାର୍ଥନା

ରାଜୀବ ଲୋଚନ ଆଚାର୍ଯ୍ୟ


ଇଚ୍ଛା ତ ଅନେକ ଥାଏ
ହେଲେ …..
କେତେ ପୂରା ହୋଇଥାଏ ପ୍ରିୟମ୍ବଦା ?

ନିର୍ମଳ ଜଳରେ ଖେଳୁଖେଳୁ
ସାଇତା ହୋଇଯିବାକୁ ହୁଏ
ଖଳେଇ ଭିତରେ,
ଭାଂଗି ଯାଉଥାଏ ଭରସା
ଅଦିନିଆ ବରଷା
ବଢାଉଥାଏ ତୃଷା ।

ଦେଖ,
ତମେ ଆଉ ମନେ କରିବନି
ଆକାଶରେ ଉଡିବାକୁ
ପବନରେ ଖେଳିବାକୁ,
ହାତ ଜମା ବଢେଇବ ନାହିଁ
ଘୃତ ଭର୍ତ୍ତି ଶୃବକୁ
ଅଥବା କୁରାଢି ବେଣ୍ଟକୁ…
ଯାହା ପାଇଲ
ତାକୁହିଁ ଆପଣେଇ ନେବ
ନିଜର ଭାବି ।

ଅଗଣାର ତୁଳସୀ ଚଉରା ତ ଦେଖିଥିବ
ଆଦରରେ ଆଉଁସୁ ଥିଲେ ବି
କେଉଁ ଦୂରାରୋଗ୍ୟ ବ୍ୟାଧିରେ ସଢୁଥାଏ
ଅଥଚ,
କେହି ନ ଥାଇ ବି
ମଶାଣି ଭିତରେ ହକ ହକ ବଢୁଥାଏ ।

ସେମିତି ତ ଏ ଜୀବନ
ଚେରେଇବାର ସାମର୍ଥ୍ୟ ଥିଲେ
ଦ୍ୱିପତ୍ର ମେଲିବ
ନହେଲେ ପବନ ପାହାରରେ
ମାଟି ଖାଇଯିବ ।

ଦେଖ
ପାଇବା ଦେବାର
ହିସାବ କରିବନି
ସମୟ ସହ ପାଦ ମିଳାଇ
ଜିଇଁ ଯାଉଥିବ ।।

ବରକନୀ, ଆଟଗାଁ, ବଲାଂଗିର
ମୋ.ନଂ. : ୯୪୩୭୩୨୯୩୪୯

Leave A Reply

Your email address will not be published.