ଆସନ୍ତା ଜାନୁୟାରୀ ୫ରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୨ ଜାନୁଆରୀ ୫ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ ବୋଲି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭିନ ସେଣ୍ଟ ପୁନମକାନ୍ତ ଏକ୍କା ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳର ରାଜସ୍ୱ କମିଶନର ଭିନ୍ ସେଣ୍ଟ ପୁନମକାନ୍ତ ଏକ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଆଲୋଚନା ହୋଇଥିଲା । ଏଥିପାଇଁ ଜିଲ୍ଲା ସ୍ତରରେ ଚଳିତ ମାସ ୧ ତାରିଖରୁ ପ୍ରତ୍ୟେକ ବୁଥ୍‌ରେ ଭୋଟର ତାଲିକା ପ୍ରକାଶନ କରାଯାଇଛି । ଏଥିରେ ନୂଆ ନାଁ ଯୋଗ କରିବା, ମୃତ କିମ୍ବା ଠିକଣା ପରିବର୍ତ୍ତନ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ କାଟିବା ଭୁଲ୍ ଥିଲେ ସଂଶୋଧନ କରିବା ଆଦି କାର୍ଯ୍ୟ ଗତ ୧ ତାରିଖରୁ ଆରମ୍ଭ ହୋଇଛି । ଯାହାକି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ନିଜ ନିଜର ବୁଥ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟରେ ସଂପୃକ୍ତ ଫର୍ମ ପୂରଣ କରି ଆବେଦନ କରିପାରିବେ ବୋଲି ଆରଡିସି ଶ୍ରୀ ଏକ୍କା ସୂଚନା ଦେଇଥିଲେ । ସେହିଭଳି ନୂତନ ନାମ ସକାଶେ ଫର୍ମ ନଂ ୬, ନାମ କାଟିବା ପାଇଁ ଫର୍ମ ନଂ ୭, ସଂଶୋଧନ କରିବା ପାଇଁ ଫର୍ମ ନଂ ୮ ଏବଂ ବୁଥ୍‌ ପରିବର୍ତ୍ତନ ସକାଶେ ଫର୍ମ ନଂ ୮(କ)ରେ ଜନସାଧାରଣ ଆବେଦନ କରିପାରିବେ ବୋଲି କହିଥିଲେ । ଜନସଚେତନତା ପାଇଁ ଆସନ୍ତା ୨୧ ତାରିଖରେ ବିଶେଷ ପ୍ରଚାର ଶିବିର ଆୟୋଜିତ ହେବ ବୋଲି କହିଥିଲେ । ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ପଦ୍ମପୁର ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, କଂଗ୍ରେସ ଦଳର ପ୍ରତିନିଧି ପାଣ୍ଡବ କର୍ଣ୍ଣ, ଭାଜପାର କୁଶ କୁମ୍ଭାର, ସିପିଆଇର ଗୁଣନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + 2 =