jayashree

ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ପାଇଁ ଅଭିନବ ପ୍ରୟାସ, ଯୋଗଦେଲେ ୪୦ରୁ ୫୦ଟି କରମସାନି ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଆଧୁନିକତାର ଚାପରେ ଧୀରେ ଧୀରେ ହଜିବାକୁ ବସିଛି ଆଦିବାସୀଙ୍କ ମୌଳିକ କଳା, ସଂସ୍କୃତି ଓ ପାରମ୍ପରିକ ପରମ୍ପରା । ଏଭଳି ସମୟରେ ଆଦି ସଂସ୍କୃତିର ସୁରକ୍ଷା ଓ ଏହାକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଡୁମ୍ବେରପିଟା ଗ୍ରାମରେ ଆୟୋଜିତ ହୋଇଛି ପ୍ରଥମ ଜିଲ୍ଲାସ୍ତରୀୟ ଶ୍ରୀ କରମସାନି ମହୋତ୍ସବ । ମହାଆଡ଼ମ୍ବର ଓ ପାରମ୍ପରିକ ରୀତିନୀତିରେ ଆୟୋଜିତ ଏହି ମହୋତ୍ସବରେ ଲୋକକଳା, ଭକ୍ତି ଓ ଲୋକସଂସ୍କୃତିର ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପାରମ୍ପରିକ ଜୁଆ କମାଣୀ, ଦେବ ନିମନ୍ତ୍ରଣ, ମା’ଙ୍କ ଡାଳ ବରଣ ଓ ଦୀପ ପ୍ରଜ୍ୱଳନ ଭଳି ଧାର୍ମିକ ବିଧି ପାଳନ କରାଯାଇଥିଲା । ମଙ୍ଗଳବାର ସକାଳ ୭ଟାରେ ଦେବ ନିମନ୍ତ୍ରଣ, ଅପରାହ୍ନ ୩ଟାରେ ମା’ଙ୍କ ଡାଳ ବରଣ ଏବଂ ସନ୍ଧ୍ୟା ୫ଟାରେ ଦୀପ ପ୍ରଜ୍ୱଳନ ପରେ ରାତି ସାଢ଼େ ୭ଟାରୁ କରମସାନିଙ୍କ ଗୁଣଗାନ ଓ ପାରମ୍ପରିକ ପରିବେଷଣରେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ପରିବେଶ । ବଲାଙ୍ଗିର ଜିଲ୍ଲା କରମସାନି ସଂଘର ସଭାପତି ଭେଙ୍କଟେଶ୍ୱର ଦାସଙ୍କ ସଭାପତିତ୍ୱରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଳାକାର ସଂଘର ଉପସଭାପତି ସୁଦାମ ବିଶି ସଭାକୁ ସଂଯୋଜନା କରିଥିଲେ । ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ବିଧାୟକ ପ୍ରତିନିଧି ସୁଶୀଲ ଚାନ୍ଦ, ବ୍ରାହ୍ମଣୀଜୋର ସରପଞ୍ଚ ମହେନ୍ଦ୍ର ମଲ୍ଲିକ, ସତ୍ୟନାରାୟଣ ବନଛୋର, କାଲିନ୍ଦ୍ର ମାଝୀ, ବ୍ରଜ ବାଗ, ଈଶ୍ୱର ଭୁଏ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋପାଳ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ବଳରାମ ଧରୁଆ ଓ ଉପସଭାପତି ଜଗନ୍ନାଥ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ମହୋତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ସୋନପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୪୦ରୁ ୫୦ଟି କରମସାନି ଦଳ ଯୋଗଦେଇ ନିଜ ନିଜର ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ । ଭେଙ୍କଟ ଦାସ, ଈଶ୍ୱର ଭୁଏ, ତ୍ରିନାଥ କମ୍ପ, ସଦାନନ୍ଦ ବିଶି, ନିତ୍ୟାନନ୍ଦ ସାହୁ, ଗୋବିନ୍ଦ ମିର୍ଦ୍ଧା, କର୍ଣ୍ଣ ଭୁଏ, ସୁରେଶ କୁମୁରା, ବାଳକ ଧରୁଆ, ମନୁ ଧରୁଆ, ବାଞ୍ଛା ଧରୁଆ, ଡମ୍ବରୁ ଧରୁଆ, ଲକ୍ଷ୍ମଣ ଭୁଏ, ଜଗନ୍ନାଥ ମୁଦୁଲି, ଲକ୍ଷ୍ମଣ ବଗର୍ତ୍ତି, ଶ୍ୟାମ ମିର୍ଦ୍ଧା, ପଦ୍ମଲୋଚନ ମଲ୍ଲିକ ଓ ସୁବାସ ଶବରଙ୍କ ସମେତ ବିଭିନ୍ନ ଦଳର କଳାକାରମାନେ ଅଂଶଗ୍ରହଣ କରିଥିଲେ । ଡୁମ୍ବେରପିଟା ଗ୍ରାମବାସୀଙ୍କ ଆୟୋଜନରେ ହୋଇଥିବା ଏହି ମହୋତ୍ସବରେ ବଳରାମ ଧରୁଆ ସଭାପତି ଓ ନିତ୍ୟାନନ୍ଦ ପଟେଲ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ମହୋତ୍ସବର କର୍ତ୍ତା ଭାବେ ସରପଞ୍ଚ ବାସନ୍ତୀ ପଟେଲ, ନିତ୍ୟାନନ୍ଦ ପଟେଲ, ଅମିରା ଭୁଏ ଓ ଗୋବିନ୍ଦ ଭୁଏ ଦାୟିତ୍ୱ ନେଇଥିଲେ । ବରିଷ୍ଠ କୀର୍ତ୍ତନ୍ୟ ତଥା କରମସାନି ଗୁରୁ ପରମାନନ୍ଦ ମାଝୀ ଉପଦେଷ୍ଟା ରହିଥିବା ବେଳେ ଭେଙ୍କଟ ଦାସ ସଭାପତି, ସୁଦାମ ବିଶି ସମ୍ପାଦକ ଓ ଗୋବିନ୍ଦ ଭୁଏ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ପାରମ୍ପରିକ ଗୀତ, ନୃତ୍ୟ ଓ କରମସାନିଙ୍କ ଆରାଧନା ମାଧ୍ୟମରେ ଏହି ମହୋତ୍ସବ କେବଳ ଏକ ସାଂସ୍କୃତିକ ଆୟୋଜନରେ ସୀମିତ ନରହି ଆଦିବାସୀ ସମାଜର ଐତିହ୍ୟ ଓ ପରିଚୟକୁ ସୁରକ୍ଷିତ ରଖିବାର ଏକ ମଞ୍ଚ ପାଲଟିଥିଲା । ଆଗାମୀ ପିଢ଼ି ନିଜ ମୂଳ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ହୋଇ ରହିବା ସହ ଏହାର ସଂରକ୍ଷଣ ଦିଗରେ ଏହି ମହୋତ୍ସବ ଏକ ସକାରାତ୍ମକ ବାର୍ତ୍ତା ଦେଇଛି ।

Leave A Reply

Your email address will not be published.