jayashree

ବ୍ଲକ ସ୍ତରୀୟ ଷ୍ଟାଡିୟମ୍ କଲମପୁର ମୌଜାରେ ନିର୍ମାଣ ଦାବିରେ ୧୨ ଘଣ୍ଟିଆ ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ଏକ ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ଇନଡୋର ହଲ୍ ସହ ଏହି ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୫ କୋଟି ୭୮ ଲକ୍ଷ ୦୯ ହଜାର ୪୪୪ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଗ୍ରାମୀଣ କାର୍ଯ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୩୨୪୩୫, ତାରିଖ ୦୯.୦୯.୨୦୨୬ ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜଣାଯାଇଛି । କିନ୍ତୁ ପ୍ରସ୍ତାବିତ ଷ୍ଟାଡିୟମ୍‌ର ସ୍ଥାନ ପରିବର୍ତ୍ତନ ଯୋଜନାକୁ ନେଇ ଏବେ ତୀବ୍ର ହୋଇଛି ଜନ ଅସନ୍ତୋଷ । ନିଜ ଅଞ୍ଚଳର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି କ୍ରୀଡ଼ାପ୍ରେମୀ ଯୁବ ସମାଜ ଓ ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ, କଲମପୁର ବ୍ଲକରେ ଇନଡୋର ହଲ୍ ସହ ଏକ ଅତ୍ୟାଧୁନିକ ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୫,୭୮,୦୯,୪୪୪ ଟଙ୍କାର ଅର୍ଥରାଶି ମଞ୍ଜୁର ହୋଇଥିବା ବେଳେ ଏହାକୁ କଲମପୁର ମୌଜାରେ ନିର୍ମାଣ ନକରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ କଲମପୁର କ୍ରୀଡ଼ାପ୍ରେମୀ ଯୁବ ସମାଜ ଓ କଲେଜ ଛାତ୍ରଛାତ୍ରୀମାନେ ଗତ ୧୦ ତାରିଖରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କଲମପୁର ବିଡିଓ ଏବଂ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ସାତ ଦିନ ମଧ୍ୟରେ କଲମପୁର ମୌଜାରେ ଷ୍ଟାଡିୟମ୍ ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ମାତ୍ର ଧାର୍ଯ୍ୟ ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ଆଜି କଲମପୁରଅଂଚଳର କ୍ରୀଡ଼ାପ୍ରେମୀ ଯୁବ ସମାଜ ଓ ଛାତ୍ରଛାତ୍ରୀମାନେ ୧୨ ଘଣ୍ଟିଆ କଲମପୁର ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । କ୍ରୀଡ଼ାପ୍ରେମୀ ମାନଙ୍କ ଏହି ଦାବିକୁ ସମର୍ଥନ ଜଣାଇ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ରହି କଲମପୁର କିମ୍ବା ୨ରୁ ୩ କି.ମି. ଭିତରେ ଷ୍ଟାଡିୟମ ନିର୍ମାଣ ହେଲେ ଖେଳାଳୀ ମାନେ ଅଭ୍ୟାସକରି ସେମାନଙ୍କ ଖେଳ ପ୍ରଦର୍ଶନ କରିପାରିବେ, ତେଣୁ ଷ୍ଟାଡିୟମ କଲମପୁର ମୁଖ୍ୟାଳୟ କିମ୍ବା ନିକଟବର୍ତ୍ତୀ ସ୍ଥାନରେ କରାଯାଉ ବୋଲି ଦାବି କରିଥିଲେ । ସେଭଳି ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନୀ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ରହିଥିଲେ । କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ସ୍ମରଣିକା ତୁଲ ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ସନାତନ ପାଣ୍ଡେ, ରବୀନ୍ଦ୍ର ନାଏକ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । କଲମପୁର ମୌଜାରେ ହିଁ ଷ୍ଟାଡିୟମ୍ ନିର୍ମାଣ ହେଉ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ବସିଥିବା ବେଳେ ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।

Leave A Reply

Your email address will not be published.