jayashree

ବିଦ୍ୟାଳୟ ଜମି ଜବରଦଖଲ ଅଭିଯୋଗ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜମିକୁ ଜବରଦଖଲ ପୂର୍ବକ ଦୋକାନ ଗୃହ ପାଇଁ ଷ୍ଟଲ୍ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିବା ସହିତ ବ୍ଲକ ତଥା ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଜଣାଯାଇଛି । ଅଭିଯୋଗ ମତେ, ଝରନିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ନିଜସ୍ଵ ବିସ୍ତୀର୍ଣ୍ଣ ତଥା ମୂଲ୍ୟବାନ ସରକାରୀ ଜମି ରହିଛି । ଏହି ଜମି ଉପରେ ସ୍ଥାନୀୟ କିଛି ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ସହିତ ବ୍ୟବସାୟୀକ ଉଦ୍ଦେଶ୍ୟରେ ଷ୍ଟଲ୍ ନିର୍ମାଣ କରୁଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀ ଷ୍ଟଲ୍ ନିର୍ମାଣକୁ ବିରୋଧ କଲେ ମଧ୍ୟ ସେମାନେ ଏହାକୁ ଭୃକ୍ଷେପ କରୁନାହାନ୍ତି । ବିଦ୍ୟାଳୟର ଜମି ଜବରଦଖଲ ହେଲେ ଆଗାମୀ ଦିନରେ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ପିଲାଙ୍କ ପାଠପଢା ତଥା ଶୈକ୍ଷିକ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟାଳୟ ଜମିର ସୁରକ୍ଷା କରିବା ସକାଶେ ପରିଚାଳନା କମିଟି ଅଧ୍ୟକ୍ଷ ନରେନ୍ଦ୍ର ମାଝୀ, ସଦସ୍ୟା ସୁନିତା ବାରିକ୍, ରୀନା କାଲସାଏ, ମିନତୀ ବାରିକ୍, ମିନାକ୍ଷୀ ବାଗଙ୍କ ସମେତ ଗ୍ରାମବାସୀ ବଲାଙ୍ଗିର ଉପଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

Leave A Reply

Your email address will not be published.