pakka

ମହାଲିଙ୍ଗ କଟାରେ ମାଟିକାମକୁ ନେଇ ବିରକେଲ ଗ୍ରାମରେ ଉତ୍ତେଜନା

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପଞ୍ଚାୟତର ବିରକେଲ ଗ୍ରାମରେ ଥିବା ମହାଲିଙ୍ଗ କଂଟାରେ ହେଉଥିବା ମାଟିକାମକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ ପୁରୁଷ ଓ ମହିଳା ମାଟିକାମ ହେଉଥିବା ସ୍ଥାନକୁ ଯାଇ କାମ ବନ୍ଦ କରି ଦେଇଛନ୍ତି । ଅପରପକ୍ଷରେ କାମ କରୁଥିବା ବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟି ଓ ଉଚ୍ଚବାଚ ହେବା ଯୋଗୁଁ ମାମଲା ଥାନାକୁ ଯାଇଥିବା ଜଣାଯାଇଛି । ପ୍ରାୟ ସାଢ଼େ ୬ ଏକର ପରିମିତ ବିରକେଲ ଗ୍ରାମର ମହାଲିଙ୍ଗ କଟା(ଜଳାଶୟ)ର ପଙ୍କ ଉଦ୍ଧାର ପାଇଁ ବିଜୁ କେବିକେ ଯୋଜନାରେ ଗତ ଦୁଇଦିନ ତଳେ ଜେସିବି ସହାୟତାରେ ମାଟିକାମ ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ବିଧାୟକଙ୍କ ନିଜ ଲୋକ କୁହାଯାଉଥିବା ମୁକେଶ ତ୍ରିପାଠୀ ଓ ଲେକ୍ରୁ ପଟେଲ କାମ କରୁଥିଲେ । ତେବେ କାର୍ଯ୍ୟାରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ହେଁ ଏଠାରେ ତାହାର ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଫଳକର କୌଣସି ଚିହ୍ନବର୍ଣ୍ଣ ନ ଥିବା ବେଳେ ଖୋଲାଯାଉଥିବା ମାଟିକୁ ବନ୍ଧର ହିଡ ପାଖରେ ପକାଯାଉଥିଲା । ଫଳରେ ବର୍ଷାଦିନରେ ପୁଣି ବନ୍ଧ ଭିତରକୁ ମାଟି ଖସିବାର ଆଶଙ୍କା ଥିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଘଟଣାସ୍ଥଳକୁ ଯାଇ ମାଟିକାମକୁ ବନ୍ଦ କରି ଦେଇଥିଲେ । ଫଳରେ କାମ କରୁଥିବା ଲେକ୍ରୁ ପଟେଲଙ୍କ ସମେତ ତାଙ୍କ ସମ୍ପର୍କୀୟ ଝେକରୁ ପଟେଲ, ଚୈତନ୍ୟ ପଟେଲ, ରମା ପଟେଲ, ନନ୍ଦକିଶୋର ପଟେଲ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟି ଓ ଉଚ୍ଚବାଚ ହୋଇଥିଲା । ଲେକ୍ରୁ ପଟେଲ ଓ ତାଙ୍କ ସମ୍ପର୍କୀୟ ମାନେ ଗ୍ରାମର ମହିଳା ମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି । ଏ ନେଇ ଫୋନ ଯୋଗେ ଗ୍ରାମବାସୀ ବଲାଂଗୀର ସଦର ଥାନାକୁ ଜଣାଇବା ପରେ ପ୍ରାୟ ଚାରିଘଣ୍ଟା ବିଳମ୍ବରେ ପୋଲିସର ଏକ ପିସିଆର ଭ୍ୟାନ ଗ୍ରାମରେ ପହଞ୍ଚିଥିଲେ ହେଁ କୌଣସି ସମାଧାନ ହୋଇପାରି ନ ଥିଲା । ଏ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିପାରି ନ ଥିଲା । ତେବେ ଏହି କାମକୁ ନେଇ ଆସନ୍ତାକାଲି ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

twelve + 6 =

error: Content is protected !!