
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବକୁ ଅକ୍ଷୁଣ୍ଣ ରଖିବା ସହ ଆଗାମୀ ପିଢ଼ି ମଧ୍ୟରେ ଏହାର ପ୍ରଚାର ପ୍ରସାର ପାଇଁ ଆହ୍ୱାନ । ରାଉରକେଲାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି ସିଂହଭୂମ ସାଂସ୍କୃତିକ ପରିଷଦର ୫୯ତମ ବାର୍ଷିକ ଉତ୍ସବ । ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ଏହି ଉତ୍ସବରେ ଭାଷା ଓ ସଂସ୍କୃତିର ସୁରକ୍ଷା ସହ ସିଂହଭୂମ ଅଞ୍ଚଳର ଓଡ଼ିଆ ଭାଷାଭାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଉଠିଥିଲା ଆଲୋଚନା । ଅନୁଷ୍ଠାନର ସଭାପତି ସୁଜୟ ପାଣିଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ପାହାଡ଼ୀଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଶାନ୍ତ ମହାପାତ୍ରଙ୍କ ସମେତ ଡ. ପଙ୍କଜ ନନ୍ଦ ଓ ଡ. ପ୍ରଦୀପ ନନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ସାରଦା ନାୟକ ପରିଷଦର ବିଭିନ୍ନ ଦାବି ଓ ସମସ୍ୟାକୁ ବିଧାନସଭାରେ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ବିଧାୟକ ଦୁର୍ଗାଚରଣ ତନ୍ତୀ ସିଂହଭୂମ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପରିଷଦର ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟପଟେ ଭାଷାଭିତ୍ତିକ ସମସ୍ୟା ଯୋଗୁଁ ଯେପରି ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ନହୁଏ, ସେଥିପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ସମ୍ପାଦକ ଗୌରାଙ୍ଗ ପାହାଡ଼ୀ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପରିଷଦର ବାର୍ଷିକ ବିଶେଷାଙ୍କ ‘ସିଂହନାଦ’ର ଉନ୍ମୋଚନ । ଏହା ସହ ଦିବ୍ୟାଂଶି ମହାପାତ୍ର ଓ ବିଭିନ୍ନ କଳାକାର ଦଳ ପକ୍ଷରୁ ଓଡ଼ିଶୀ ଓ ଛଉ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କଳ୍ପନା ଶତପଥୀ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ଶେଷରେ ଉପସଭାପତି ଚନ୍ଦ୍ରଶେଖର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ଏକତା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇ ସଫଳତାର ସହ ସମାପନ ହୋଇଥିଲା ଏହି ବାର୍ଷିକ ଉତ୍ସବ ।