jayashree

ଆକ୍‌ଭାନ୍‌ ବାତ୍ୟା ମୁକାବିଲାକୁ ନେଇ ପ୍ରଶାସନର ତତ୍ପରତା, ଭର୍ଚୁଆଲ୍‌ ବୈଠକରେ ପ୍ରସ୍ତୁତି ସମୀକ୍ଷା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ଆକ୍‌ଭାନ୍‌ ବାତ୍ୟାର ମୁକାବିଲା ଏବଂ ଏହାର ପ୍ରଭାବରୁ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଗୁରୁବାରରେ ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଏକ ଜରୁରୀକାଳୀନ ଭର୍ଚୁଆଲ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ତଦାରଖକାରୀ ଅଧିକାରୀ ଭାବେ ନିଯୁକ୍ତ ଆଇଏଏସ୍‌ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଓ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ସମେତ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ବାତ୍ୟା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବା, ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା, ରିଲିଫ୍‌ ସାମଗ୍ରୀ ମହଜୁଦ ରଖିବା ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖିବା ଉପରେ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା ଲୋକଙ୍କ ଜୀବନ ସୁରକ୍ଷା ଉପରେ । ବିଶେଷକରି ନଦୀ, ନାଳ ଓ ଜଳପ୍ରବାହ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ପରିବାର, ତଳିଆ ଅଞ୍ଚଳ ଏବଂ ଅନ୍ୟାନ୍ୟ ବିପଦପ୍ରବଣ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ଆଗୁଆ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେତେଜଣଙ୍କୁ ସ୍ଥାନାନ୍ତର କରାଗଲା ଏବଂ ଆଉ କେତେଜଣଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ସଠିକ୍‌ ତଥ୍ୟ ଓ ରେକର୍ଡ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା । କେବଳ ଲୋକଙ୍କୁ ସ୍ଥାନାନ୍ତର କରିଦେଲେ ଦାୟିତ୍ୱ ଶେଷ ହେବ ନାହିଁ, ବରଂ ସେମାନେ ଆଶ୍ରୟସ୍ଥଳରେ ରହିବା ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଆଶ୍ରୟସ୍ଥଳ ଦାୟିତ୍ୱରେ ଥିବା ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଜଳ, ଆଲୋକ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ନିୟମିତ ତଦାରଖ କରିବାକୁ କୁହାଯାଇଥିଲା । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଯେପରି ଉଦ୍ଧାର କାର୍ଯ୍ୟ ବିଳମ୍ବିତ ନହୁଏ, ସେଥିପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପଲିଥିନ୍‌, ପାଲ, ଜେନେରେଟର, ଚେନ୍‌ ମେସିନ୍‌, ଜେସିବି, ଟ୍ରଲର୍‌ ଓ ଅନ୍ୟାନ୍ୟ ଜରୁରୀ ଉଦ୍ଧାର ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା । ଏଥିସହ ଆବଶ୍ୟକ ଗାଡ଼ି ଓ ଡ୍ରାଇଭର ମାନଙ୍କୁ ମଧ୍ୟ ସଜାଗ ରଖିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା । ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଡାକ୍ତର, ନର୍ସ, ଆଶାକର୍ମୀ ଓ ଏଏନ୍‌ଏମ୍‌ ମାନଙ୍କୁ ଜରୁରୀ କାଳୀନ ସେବା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଥିଲା । ଆବଶ୍ୟକ ପଡ଼ିଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ସହ ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା । ପାହାଡ଼ିଆ ଭୌଗୋଳିକ ସ୍ଥିତି ଯୋଗୁଁ କନ୍ଧମାଳ ଜିଲ୍ଲାରେ ବର୍ଷା ସମୟରେ ଭୂସ୍ଖଳନ ଓ ରାସ୍ତା ଅବରୋଧର ଆଶଙ୍କା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ରାଇକିଆ, ଦାରିଙ୍ଗବାଡ଼ି ଓ ଜି. ଉଦୟଗିରି ଭଳି ଭୂସ୍ଖଳନ ପ୍ରବଣ ବ୍ଲକ୍‌ଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ସ୍ୱତନ୍ତ୍ର ଭାବେ ପଚାରି ବୁଝାଯାଇଥିଲା । ବିପଦ ସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଉଥିବା ସମ୍ପୃକ୍ତ ଅଧିକାରୀମାନେ ଜଣାଇଥିଲେ । ଏହି ଅଞ୍ଚଳ ଗୁଡ଼ିକରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ଆଗୁଆ ଉଦ୍ଧାର ବ୍ୟବସ୍ଥା, ଯାନବାହନ ଓ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ବିଭାଗର ମିଳିତ ଉଦ୍ୟମରେ ଶୂନ୍ୟ ଜୀବନହାନି ବା ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦିଆଯାଇ ଥିଲା । ବାତ୍ୟା ଓ ବର୍ଷା ଯୋଗୁଁ କୌଣସି ବ୍ଲକ୍‌ରେ ରିଲିଫ୍‌ କାର୍ଯ୍ୟ ପାଇଁ ଅତିରିକ୍ତ ଅର୍ଥର ଆବଶ୍ୟକତା ପଡ଼ିଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କୁହାଯାଇଥିଲା । ରିଲିଫ୍‌ ବଣ୍ଟନରେ ଯେପରି କୌଣସି ବିଳମ୍ବ ନହୁଏ, ସେଥି ପାଇଁ ଆବଶ୍ୟକ ଅର୍ଥ ଓ ସାମଗ୍ରୀର ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଚୁଡ଼ା ସମେତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିବା ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ । ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗକୁ ମଧ୍ୟ ଏହି ବିପର୍ଯ୍ୟୟ ପରିଚାଳନାରେ ଗୁରୁତ୍ୱ ଦିଆଯାଇଥିଲା । ପଞ୍ଚାୟତିରାଜ ସଂସ୍ଥା (ପିଆର୍‌ଆଇ)ର ସଦସ୍ୟ ମାନଙ୍କୁ ସାମିଲ କରି ଲୋକଙ୍କୁ ସଚେତନ କରିବା, ବିପଦସଙ୍କୁଳ ପରିବାରଙ୍କୁ ଚିହ୍ନଟ କରିବା ଓ ସ୍ଥାନାନ୍ତରଣ କାର୍ଯ୍ୟରେ ସହଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା । ବାତ୍ୟା ଜନିତ ବର୍ଷା ଓ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ବିପଦକୁ ନଜରରେ ରଖି କଳିଙ୍ଗା ଓ ଗାଜଲବାଡ଼ି ଘାଟିରେ ଯାତାୟାତ ବନ୍ଦ ରହିଥିବା ସମ୍ପର୍କରେ ଅଧିକାରୀମାନେ ବୈଠକରେ ଜଣାଇଥିଲେ । ଘାଟି ରାସ୍ତାରେ ଭୂସ୍ଖଳନ, ଗଛ ଉପୁଡ଼ିବା ଓ ଅନ୍ୟାନ୍ୟ ବିପଦର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ବର୍ଷା ସମୟରେ ଜଳପ୍ରପାତ, ନଦୀ, ନାଳ ଓ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକ କିମ୍ବା ଭୋଜିଭାତ ପାଇଁ ଆସୁଥିବା ଲୋକଙ୍କୁ ଅନୁମତି ନଦେବାକୁ କୁହାଯାଇଥିଲା । ଏଭଳି ସ୍ଥାନରେ ପୋଲିସ କିମ୍ବା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ମୁତୟନ କରିବା ସହ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ସୋସିଆଲ୍‌ ମିଡିଆରେ ରିଲ୍ସ ଓ ଭିଡିଓ କରିବା ନିଶାରେ ନଦୀ, ନାଳ ଓ ଜଳପ୍ରପାତ ନିକଟରେ ବିପଦପୂର୍ଣ୍ଣ ଭାବେ ଯିବାରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ବାତ୍ୟା ମୁକାବିଲାରେ କେବଳ ଗୋଟିଏ ବିଭାଗ ନୁହେଁ, ବରଂ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା, ଯେକୌଣସି ଜରୁରୀ ସୂଚନା ତୁରନ୍ତ ଆଦାନପ୍ରଦାନ କରିବା ଏବଂ ଆବଶ୍ୟକ ସ୍ଥଳେ ବିଳମ୍ବ ନକରି ତ୍ୱରିତ ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ କୁହାଯାଇଥିଲା । କନ୍ଧମାଳର ଭୌଗୋଳିକ ସ୍ଥିତି, ପାହାଡ଼ିଆ ଅଞ୍ଚଳ ଓ ଯୋଗାଯୋଗ ସମସ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ପୂର୍ବରୁ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ସମ୍ଭାବ୍ୟ ବିପଦକୁ ଆଗୁଆ ଆକଳନ କରି ଜନସାଧାରଣଙ୍କ ଜୀବନ ରକ୍ଷା କରିବା ହିଁ ପ୍ରଶାସନର ପ୍ରଥମ ଦାୟିତ୍ୱ । ତେଣୁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟକୁ ଆଗରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ, ସକ୍ରିୟ ଓ ପ୍ରସ୍ତୁତ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.