jayashree

ଆସନ୍ତା ୨୨ରେ ସୁଶିଲ ଦାସ ସ୍ପୋର୍ଟସ ଅର୍ଗାନାଇଜେସନ୍‌ର ସାଇକ୍ଲୋଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ ସାଇକେଲ ଚାଳକ ସୁଶିଲ ଦାସଙ୍କ ସ୍ମୃତିରେ ଗଠନ କରାଯାଇଥିବା ସୁଶିଲ ଦାସ ସ୍ପୋର୍ଟସ ଅର୍ଗାନାଇଜେସନ୍ ତରଫରୁ ପ୍ରଥମ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖ ଦିନ ସକାଳ ୬ଟାରେ ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ନିକଟରୁ ଆରମ୍ଭ କରାଯିବ । ଏହି ସାଇକ୍ଲୋଥନ ସେକ୍ଟର ୨ରୁ ଆରମ୍ଭ ହୋଇ ଆମ୍ବାଗାନ ଛକ ନିକଟରୁ ପୁଣି ରିଙ୍ଗ୍ ରୋଡ ଦେଇ ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ନିକଟରେ ଶେଷ ହେବ । ଏନେଇ ଛେଣ୍ଡ ମେଫେୟାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଆଶିଷ ମୈତ୍ର, ସମ୍ପାଦକ ସବ୍ୟସାଚୀ ଦାସ, ସହ ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ ଓ ସୌମ୍ୟରଞ୍ଜନ ପଲେଇ, ଉପଦେଷ୍ଟା ସମରେନ୍ଦ୍ର ସିଂ, ସୁବାସ ଚନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଅଞ୍ଜୁଶ୍ରୀ ଦାସ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ସାଇକ୍ଲୋଥନରେ ସବ ଜୁନିଅର ବିଭାଗରେ ୮ ବର୍ଷରୁ ୧୨ ବର୍ଷ, ଜୁନିଅର ବିଭାଗରେ ୧୩ ବର୍ଷରୁ ୧୬ ବର୍ଷ ଓ ସିନିଅର ବିଭାଗରେ ୧୬ରୁ ଉର୍ଦ୍ଧ୍ବ ସମସ୍ତ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ସାଇକ୍ଲୋଥନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୩ ହଜାର ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ସେହିପରି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ପହଞ୍ଚିଥିବା ୨୦ ଜଣ ପ୍ରତିଯୋଗୀଙ୍କୁ ଟି-ସାର୍ଟ ପ୍ରଦାନ କରାଯିବ । ସହରରେ କୋଣଠେସା ହୋଇ ରହିଥିବା ପ୍ରତିଭାଶାଳୀ ସାଇକେଲ ଚାଳକଙ୍କୁ ଲୋକଲୋଚନରେ ଆଣିବା ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ,ଏସପି ନିତେଶ ୱାଧୱାନୀ, ଆର୍‌ଏସ୍‌ପି ସହର ସେବା ପ୍ରଶାସନର ମହାପ୍ରବନ୍ଧକ ତପନ ଜି କାନେକର ପ୍ରମୁଖ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଃଶୁଳ୍କ ହୋଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମେଡାଲ ଓ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ସେହିପରି ଏହି କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଗୋପୀନାଥ ପଣ୍ଡାଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି । ଶେଷରେ ଉପଦେଷ୍ଟା ସୁବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.