ଗଜବନ୍ଧ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟରର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ସହଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ସହ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ କଳାକାହ୍ନୁ ରଣା ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭୀମଟିକିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରେରଣା ଦେଇଥାଏ ବୋଲି ଆଲୋଚନା କରିଥିଲେ । ବିଦ୍ୟାଳୟ ବିକାଶ କମିଟି ସଭ୍ୟ ଅଶୋକ ନାଏକ, ମୋ ସ୍କୁଲ ଅଭିଯାନ କମିଟି ସଭ୍ୟ ବନ୍ଦୋବସ୍ତ ସାହୁ, ସମାଜସେବୀ ଡୋଲାମଣି ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ଇଣ୍ଟର ହାଉସ ପ୍ରତିଯୋଗିତାରେ ମଳୟ ଗିରି ହାଉସ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ସୁନେଲି ସରଭଙ୍ଗ ଶ୍ରେଷ୍ଠ ଶିକ୍ଷାର୍ଥୀ, ନିକିତା ପଧାନ ଶ୍ରେଷ୍ଠ ଉପସ୍ଥାନ, ସୁନେଲି ବୁଡ଼େକ ଶ୍ରେଷ୍ଠ ସହ ଶୈକ୍ଷିକ କାର୍ଯ୍ୟ ପାଇଁ ପୁରସ୍କାର ପାଇଥିଲେ । ଶିକ୍ଷୟିତ୍ରୀ ପଦ୍ମାବତୀ ହାତୀ, ପ୍ରମିତା ପଧାନ, ଅମୂଲ୍ୟ ଝାଙ୍କର ଓ ଶାରୀରିକ ଶିକ୍ଷା ଶିକ୍ଷକ ଅନନ୍ତ ନାରାୟଣ ବନଛୋରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୀତ, ନାଚ ଓ ଅଭିନୟରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ ବରିଷ୍ଠ କଳା ଶିକ୍ଷକ ଶଙ୍କର ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସୁବାସ ଭୋଇ, କିରଟି ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

6 − 2 =