pakka

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ଉଷ୍ଣତା ବଢ଼ିଲା

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ । ସରକାରଙ୍କ କୋଭିଡ୍‌ ମାର୍ଗଦର୍ଶିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ଆରମ୍ଭ କରିଦେଇଛନ୍ତି । ପ୍ରଥମ ଦିନରେ ସୋନପୁର ବ୍ଲକରେ ୧୧ ଜଣ ୱାର୍ଡମେମ୍ବର ଏବଂ ୧ ଜଣ ପଞ୍ଚାୟତ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୬ ଜଣ ୱାର୍ଡମେମ୍ବର, ବୀରମହାରାଜପୁର ବ୍ଲକରେ ୭ ଜଣ ୱାର୍ଡମେମ୍ବର ଓ ୧ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୬ ଜଣ ୱାର୍ଡମେମ୍ବର, ତରଭା ବ୍ଲକରେ ୭ ଜଣ ୱାର୍ଡମେମ୍ବର ଏବଂ ୨ ଜଣ ସମିତି ସଭ୍ୟ, ବିନିକା ବ୍ଲକରେ ୧୨ ଜଣ ୱାର୍ଡମେମ୍ବର ଏବଂ ୨ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉଭୟ ସୋନପୁର ଏବଂ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବା ସୂଚନା ମିଳିଛି । ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ ହୋଇ ଯାଇଥିବା ବେଳେ ଜନସାଧାରଣଙ୍କ ମନରେ ମଧ୍ୟ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.

fourteen − 7 =