jayashree

ସ୍କୁଲରେ ଶିକ୍ଷକ ଗାଏବ : ଖାତାରେ ଉପସ୍ଥିତି

  • ସିନ୍ଧବାହାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଚରମ ଅବ୍ୟବସ୍ଥା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଯେଉଁଠି ଶିକ୍ଷକଙ୍କ ହାତରେ ରହିବା କଥା ଭବିଷ୍ୟତର ଭିତ୍ତି, ସେଠି ଶିକ୍ଷକ ହିଁ ଯଦି ସ୍କୁଲରୁ ଗାଏବ ତେବେ ପିଲାଙ୍କ ଭବିଷ୍ୟତ କାହା ଭରସାରେ ? ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ସିନ୍ଧବାହାଲି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଚିତ୍ର ଶିକ୍ଷା ବ୍ୟବସ୍ଥାର ଦୁର୍ଦ୍ଦଶାକୁ ପଦାରେ ପକାଇଛି । ପ୍ରଧାନଶିକ୍ଷକ ଦୁଇଦିନ ଛୁଟିରେ ଥିବା ବେଳେ ଶିକ୍ଷକ ମହେଶ୍ୱର ମାଝୀ ଦାୟିତ୍ୱରେ ଥିଲେ । କିନ୍ତୁ ସ୍କୁଲରେ ରହି ପାଠ ପଢ଼ାଇବା ପରିବର୍ତ୍ତେ ସେ ବାହାରେ ବୁଲୁଥିବା ଅଭିଯୋଗ ହୋଇଛି । ପଚରାଯିବାରୁ ସେ ସେଠାରୁ ଚାଲିଯାଇଥିବା ବେଳେ, ଆଶ୍ଚର୍ଯ୍ୟର କଥା ଆଟେଣ୍ଡାନ୍ସ ଖାତାରେ ତାଙ୍କ ଉପସ୍ଥିତି ଦସ୍ତଖତ ରହିଥିବା ଦେଖାଯାଇଛି । ଏପଟେ ମଧ୍ୟାହ୍ନ ଭୋଜନରେ ନିର୍ଦ୍ଧାରିତ ଭାତ, ତରକାରୀ ଓ ସୋୟାବିନ ପରିବର୍ତ୍ତେ ଭାତ-ଡାଲି ଦେଇ କାମ ସାରିଦିଆଯାଇଥିବା ଅଭିଯୋଗ ମଧ୍ୟ ଉଠିଛି । ଶିକ୍ଷାର ମନ୍ଦିରରେ ଉପସ୍ଥିତି ନେଇ ପ୍ରଶ୍ନ ଓ ପିଲାଙ୍କ ଖାଦ୍ୟରେ ଅନିୟମ—ଏହା କେବଳ ଅବହେଳା ନୁହେଁ, ବରଂ ସରକାରୀ ବ୍ୟବସ୍ଥାକୁ ଉପହାସ କରିବା ସଦୃଶ । ବିଇଓ ଅଭିନବ ମିଶ୍ରଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ଶିକ୍ଷକ ମହେଶ୍ୱର ମାଝୀଙ୍କ ଗୋଟିଏ ମାସର ଦରମା ବନ୍ଦ କରାଯାଇଥିଲା । ଆଜିର ଘଟଣାରେ ଦୋଷୀ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ପ୍ରଶ୍ନ ଉଠୁଛି ସ୍କୁଲରେ ଶିକ୍ଷକ ନାହାନ୍ତି, ଖାତାରେ ଉପସ୍ଥିତ; ନିର୍ଦ୍ଧାରିତ ଭୋଜନ ନାହିଁ, ତଥାପି ଦାୟିତ୍ୱ ସମ୍ପନ୍ନ । ତେବେ ଏହି ଶିକ୍ଷା ବ୍ୟବସ୍ଥା କାହା ପାଇଁ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏଭଳି ଖେଳ କରୁଥିବା ବ୍ୟବସ୍ଥା ବିରୋଧରେ କେବଳ ପ୍ରତିଶୃତି ନୁହେଁ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହିଁ ସମୟର ଦାବି ।

Leave A Reply

Your email address will not be published.