
- ଓଡ଼ିଶାରେ ପ୍ରଥମ ହେଲେ ଛାତ୍ରୀ କବିତା କୁଅଁର
କଣ୍ଟାବାଞ୍ଜି (କେପିଏନ୍ଏସ୍) : ଗାୟତ୍ରୀ ଶକ୍ତି ପୀଠ, କଣ୍ଟାବାଞ୍ଜି ପକ୍ଷରୁ ଗତ ଶିକ୍ଷାବର୍ଷରେ ଆୟୋଜିତ ସଂସ୍କୃତି ଜ୍ଞାନ ପରୀକ୍ଷାରେ କେ.ଭି. ମହାବିଦ୍ୟାଳୟର ଛାତ୍ରୀ କବିତା କୁଅଁର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ସମେତ କଣ୍ଟାବାଞ୍ଜି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ପଞ୍ଚମ ସୋପାନର ସ୍ନାତକ କଳା ବିଭାଗର ଇତିହାସ ଛାତ୍ରୀ କବିତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ମନୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗାୟତ୍ରୀ ପରିବାରର ସଦସ୍ୟ ସୁବାସ ଅଗ୍ରୱାଲ, ଶଶିଧର ନିଆଲ ଓ ନିରଜ ଅଗ୍ରୱାଲ ଯୋଗଦେଇ କୃତୀ ଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କବିତା କୁଅଁରଙ୍କୁ ମାନପତ୍ର, ଫଳକ ଓ ନଗଦ ୧,୦୦୦ ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାରେ ଯଶୋବନ୍ତ ନାରାୟଣ ମିଶ୍ର, ରୋହିତ କିଶୋର କୁମ୍ଭାର ଓ ଉର୍ମିଳା ସାହୁ ଉପସ୍ଥିତ ଥିଲେ । ଗାୟତ୍ରୀ ପରିବାରର ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଏବଂ ଯୁବପିଢ଼ି ମଧ୍ୟରେ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ବିକାଶ ଦିଗରେ ସଂସ୍କୃତି ଜ୍ଞାନ ପରୀକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କବିତାଙ୍କ ଏହି ସଫଳତା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଛି । ତାଙ୍କର ଏହି କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବା ପାଇଁ ଶୁଭକାମନା ଜଣାଇଥିଲେ ।