
ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ପ୍ରୟାସରତ – ବିଧାୟକ ଦୁର୍ଗା ତନ୍ତୀ
- ବିଧାୟକଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ପ୍ରାୟ ୩.୫କୋଟି ଟଙ୍କାର ୧୪ଟି ପ୍ରକଳ୍ପ ସମେତ ସ୍ଵତନ୍ତ୍ର ଭାବେ ୪ଟି ବଡ଼ ବ୍ରିଜ(ସେତୁ) ନିର୍ମାଣକୁ ଅନୁମୋଦନ
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ନିକଟରେ ଥିବା ଲୁଆକେରା, ହମିରପୁର, ଏନ୍ଟିପିସି ଲୋକୋ ବରକାନୀ(ସେକ୍ଟର-୨୧ ନିକଟ), ଏବଂ ତିଲକାନଗର ସି ବ୍ଲକ ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ ତଥା ସମ୍ପୃକ୍ତ ଅଞ୍ଚଳରେ ବର୍ଜ୍ୟ ଜଳ ନିଷ୍କାସନ ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆବଶ୍ୟକତା ଅନୁସାରେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଗତମାସରେ ପ୍ରାୟ ସାଢ଼େ ତିନିକୋଟି ଟଙ୍କା ବ୍ୟୟ ଅଟକଳରେ ମୋଟ ୧୩ଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପ୍ରାୟ ୩,୪୮,୦୪,୬୦୦.୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ସମସ୍ତ ୧୩ଟିଯାକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏତଦ ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ନଦୀର ଉଭୟ ପାର୍ଶ୍ଵରେ ରହୁଥିବା ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ସମ୍ପର୍କର ସେତୁ ସଦୃଶ ଯୋଗାଯୋଗର ସୁବିଧା ଯୋଗାଇଦେବା ପାଇଁ ମୋଟ ୪ଟି ସ୍ଥାନରେ ବଡ଼ ବଡ଼ ବ୍ରିଜ(ସେତୁ)ନିର୍ମାଣ ପାଇଁ ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାର ଅନୁମୋଦନ କରି ସ୍ୱତନ୍ତ୍ର ଭାବେ ବ୍ୟୟ ବରାଦ କରିଛନ୍ତି । ବିକଶିତ ଓଡିଶା ଗଠନର ସଂକଳ୍ପକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଧାୟକ ଶ୍ରୀ ତନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ସର୍ବଦା ଏବଂ ସବୁବେଳେ ତତ୍ପର ଥିଲି ଅଛି ରହିବି ।