jayashree

ଅସହାୟ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ମିଳିଲା ନୂଆ ଜୀବନର ଆଶ୍ରୟ

  • ମାନବିକତା ଦେଖାଇଲା ସଂକଳ୍ପ ପରିବାର, ବିଜେପୁରରୁ ଉଦ୍ଧାର କରି ସୁନ୍ଦରଗଡ଼ର ‘ଆପନା ଘର’ରେ କଲେ ଥଇଥାନ

ବରଗଡ଼, (ମୁନ୍ନା ସାହୁ) : ବିଜେପୁର ବସ୍‌ଷ୍ଟାଣ୍ଡରେ ଅସହାୟ ଭାବେ ଦିନ କାଟୁଥିଲେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି । ଭୋକ ମେଣ୍ଟାଇବା ପାଇଁ ଅନ୍ୟମାନେ ଫିଙ୍ଗି ଦେଉଥିବା ଅଇଁଠା ଖାଦ୍ୟ ଥିଲା ତାଙ୍କର ଏକମାତ୍ର ଭରସା । ଅପରିଷ୍କାର ପରିବେଶ ଓ ଦୟନୀୟ ଅବସ୍ଥାରେ ତାଙ୍କ ଜୀବନ ବିତୁଥିବା ଦେଖି ଆଗକୁ ଆସିଥିଲେ ପାର୍ବତୀଗିରି ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ । ତାଙ୍କ ଉଦ୍ୟମରେ ସଂକଳ୍ପ ପରିବାର ସହ ଯୋଗାଯୋଗ କରାଯିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଖବର ପାଇ ଶନିବାର ସକାଳେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଟିମ୍ ବିଜେପୁରରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ପ୍ରଥମେ ତାଙ୍କୁ ପାର୍ବତୀଗିରି ବୃଦ୍ଧାଶ୍ରମକୁ ନିଆଯାଇ ସ୍ନାନ, ପରିଚ୍ଛନ୍ନତା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଆବଶ୍ୟକୀୟ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। । ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ‘ଆପନା ଘର’କୁ ନିଆଯାଇ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି । ଏହି ମହତ୍ କାର୍ଯ୍ୟରେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଜି. ରମେଶ, ରଞ୍ଜିତ ସାହୁ, ନବୀନ ବୁଡ଼େକ ଏବଂ ପାର୍ବତୀଗିରି ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ସାମିଲ ହୋଇଥିଲେ । ଜଣେ ଅସହାୟ ମଣିଷଙ୍କୁ ଅବହେଳାର ଅନ୍ଧକାରରୁ ଉଦ୍ଧାର କରି ଆଶ୍ରୟ, ଆହାର ଓ ଚିକିତ୍ସା ଯୋଗାଇଦେବାର ଏହି ପ୍ରୟାସ ସମାଜ ପାଇଁ ଏକ ଉଦାହରଣ ସାଜିଛି । ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଅବହେଳା ନୁହେଁ, ବରଂ ସ୍ନେହ, ସହାନୁଭୂତି ଓ ଉପଯୁକ୍ତ ଥଇଥାନର ଆବଶ୍ୟକତା ରହିଛି । ସଂକଳ୍ପ ପରିବାରର ଏହି ମହତ୍ ପଦକ୍ଷେପ ପୁଣିଥରେ ପ୍ରମାଣ କରିଛି ଯେ, ମାନବିକତା ହିଁ ସବୁଠୁ ବଡ଼ ଧର୍ମ ।

Leave A Reply

Your email address will not be published.