jayashree

ହର୍ଡାଟାଲରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୋହିତ ପରମ୍ପରାର ସଂରକ୍ଷଣ, ବୈଦିକ ଜ୍ଞାନର ପ୍ରସାର ଏବଂ ସମାଜରେ ନୂତନ ପୁରୋହିତ ସୃଷ୍ଟିର ମହତ୍ ଉଦ୍ଦେଶ୍ୟ ନେଇ ହର୍ଡାଟାଲସ୍ଥିତ ଶ୍ରୀ ଶ୍ରୀ ବାବା ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନିକଟସ୍ଥ ସଭାଗୃହରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ପ୍ରଗତିଶୀଳ ଜନଚେତନା ମଞ୍ଚ, ଓଡ଼ିଶା ଓ ବଲାଙ୍ଗିର ଜିଲ୍ଲା ବାବା ବିଶାଶହେ କୁଲତା ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ଉଦ୍‌ଘାଟନୀ ସଭାରେ ଜିଲ୍ଲା କୁଲତା ସମାଜର ସଭାପତି ବେଲାରସଂ ଭୋଇ, ସହରାଞ୍ଚଳ ସମାଜର ପୂର୍ବତନ ସମ୍ପାଦକ ବିଦେଶୀ ପ୍ରଧାନ, ମଞ୍ଚର ଆବାହକ ଅମୀୟ କୁମାର ସାହୁ, ସୋମଦତ୍ତ ଶାସ୍ତ୍ରୀ ଓ ଜେଠୁ ଭୋଇ ମଞ୍ଚାସୀନ ହୋଇଥିଲେ । ବିଶେଷକରି ଓବିସି ବର୍ଗର ଯୁବପିଢ଼ିଙ୍କୁ ପୁରୋହିତ ଭାବେ ତାଲିମ ଦେଇ ଆତ୍ମନିର୍ଭରଶୀଳ କରିବା ସହ ସମାଜର ଧାର୍ମିକ ଓ ସାଂସ୍କୃତିକ ଉନ୍ନତିରେ ସାମିଲ କରିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଆନନ୍ଦ କୁମାର ଶାସ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଆନନ୍ଦ କୁମାର ଶାସ୍ତ୍ରୀ ଓ ସୋମଦତ୍ତ ଶାସ୍ତ୍ରୀ ପରିଚାଳନା କରୁଛନ୍ତି । ଏହି ପ୍ରୟାସ କୁଲତା ସମାଜର ଧାର୍ମିକ ଚେତନା, ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟର ସମୃଦ୍ଧି ଦିଗରେ ଏକ ଅଭିନବ ପଦକ୍ଷେପ ଭାବେ ସ୍ୱାଗତଯୋଗ୍ୟ ହୋଇଛି ।

Leave A Reply

Your email address will not be published.