
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ଦୁଇ ଯୁବନେତାଙ୍କ ଇସ୍ତଫା । ଦଳର ପ୍ରାଥମିକ ସଦସ୍ୟତା ସହ ନିଜ ନିଜ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି ବାଲିଗୁଡ଼ା ନଗରର ଦୁଇ ଯୁବନେତା । ସେମାନେ ହେଲେ ବାଲିଗୁଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦର ନଗର ଯୁବ କାର୍ଯ୍ୟକାରୀ ସଭାପତି ସୁବ୍ରତ କୁମାର ପ୍ରଧାନୀ ଏବଂ ନଗର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ଅମାୟତ । ଉଭୟ ନେତା କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ଜରିଆରେ ଦଳର ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଲିଖିତ ଇସ୍ତଫାପତ୍ର ପ୍ରେରଣ କରିଛନ୍ତି । ଦୀର୍ଘଦିନ ଧରି ଦଳର ସକ୍ରିୟ କର୍ମୀ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଓ ଦଳୀୟ କାର୍ଯ୍ୟଧାରାରେ ସାମିଲ ରହିବା ପରେ ଏଭଳି ନିଷ୍ପତ୍ତି ନେବାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ସୁବ୍ରତ କୁମାର ପ୍ରଧାନୀ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେ ଦୀର୍ଘଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ରହିବା ସହ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ନିଜର ଯୋଗଦାନ ଦେଇଆସୁଥିଲେ । ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ତାଙ୍କୁ ବାଲିଗୁଡ଼ା ଏନ୍ଏସିର ନଗର ଯୁବ କାର୍ଯ୍ୟକାରୀ ସଭାପତି ଭାବେ ନୂତନ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ବର୍ତ୍ତମାନର ସାଂଗଠନିକ ପରିସ୍ଥିତି ଓ ନିଜସ୍ୱ ରାଜନୈତିକ ବିଚାରଧାରାକୁ ଦୃଷ୍ଟିରେ ରଖି ସେ ଆଗକୁ ଦଳରେ ନିଜର ସକ୍ରିୟ ରାଜନୈତିକ ଯାତ୍ରା ଜାରି ରଖିବାକୁ ଇଚ୍ଛୁକ ନଥିବା ଦର୍ଶାଇଛନ୍ତି । ଏଣୁ ବିଚାରବିମର୍ଶ କରି ସେ ଦଳର ପ୍ରାଥମିକ ସଦସ୍ୟତା ସହ ନିଜ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଥିବା ଜଣାଇଛନ୍ତି । ସେହିପରି ନଗର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ଅମାୟତ ମଧ୍ୟ ସମାନ କାରଣ ଦର୍ଶାଇ ନିଜ ପଦବୀ ସହ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି । ଉଭୟ ନେତା ନିଜ ନିଷ୍ପତ୍ତି ସମ୍ପର୍କରେ ଦଳୀୟ ନେତୃତ୍ୱଙ୍କୁ ଅବଗତ କରାଇବା ସହ ଇସ୍ତଫାପତ୍ର ଗ୍ରହଣ କରି ସାଂଗଠନିକ ଦାୟିତ୍ୱ ଓ ସଦସ୍ୟତାରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ତେବେ ଏକାସାଙ୍ଗରେ ନଗର ସ୍ତରର ଦୁଇ ଜଣ ଦାୟିତ୍ୱସମ୍ପନ୍ନ ଯୁବନେତାଙ୍କ ଇସ୍ତଫା ବାଲିଗୁଡ଼ା ବିଜେଡିର ସାଂଗଠନିକ ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଆଗକୁ ଏହି ଇସ୍ତଫାକୁ ନେଇ ଦଳୀୟ ନେତୃତ୍ୱ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ବାଲିଗୁଡ଼ାରେ ଦଳର ସାଂଗଠନିକ ସମୀକରଣ କିଭଳି ରହୁଛି, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି ।