jayashree

କୁବେର ପୁରୋହିତ ଓ ସାକେତ ଶ୍ରୀ ଭୂଷଣ ସାହୁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସିର୍ଜୀନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଚେରୀ ପ୍ରାଙ୍ଗଣଠାରେ ସ୍ୱର୍ଗତ କୁବେର ପୁରୋହିତ ଓ ସାକେତ ଶ୍ରୀ ଭୂଷଣ ସାହୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠାନର ସଭାପତି ଆଦିତ୍ୟ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତ ଦୁଇ ସାହିତ୍ୟ ସାଧକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ କୁବେର ପୁରୋହିତ ଜଣେ ପ୍ରଚଣ୍ଡ ବାଗ୍ମୀ, ପ୍ରତିଭାସମ୍ପନ୍ନ କବି ତଥା ସୁଦକ୍ଷ ସଂଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସାକେତ ଶ୍ରୀ ଭୂଷଣ ସାହୁ କୋଶଳୀ ସାହିତ୍ୟର ସମୃଦ୍ଧି ଓ ପ୍ରସାର ଦିଗରେ ଅତୁଳନୀୟ ଅବଦାନ ରଖିଥିଲେ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଉଭୟଙ୍କ ସାହିତ୍ୟିକ ଅବଦାନ ଓ ସ୍ମୃତି ସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା ।ଏହି ସ୍ମୃତିସଭାରେ ଅନୁଷ୍ଠାନର ଉପ ସଭାପତି ଆନନ୍ଦ ବେହେରା, ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସହ ସମ୍ପାଦକ ପୌଲାସ୍ତ୍ୟ ସାହା, କୋଷାଧ୍ୟକ୍ଷ ପ୍ରମୋଦ ନାଥ, ଉପଦେଷ୍ଟା ହରିଶଙ୍କର ସିଂହ, ସନ୍ତୋଷ ମହାନ୍ତି, ସାଗର ଚୌହାନ, ଆଶୁତୋଷ ପାଣିଗ୍ରାହୀଙ୍କ ସମେତ ନୂତନ ପ୍ରତିଭା ଶେଖ ଆଫ୍ରିନ୍ ଓ ସମ୍ପୂର୍ଣ୍ଣା ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଆଗାମୀ ବାର୍ଷିକ ଉତ୍ସବ ଆସନ୍ତା ଏପ୍ରିଲ ମାସରେ ମହୁଲପାଲି କିମ୍ବା ବରିକେଲଠାରେ ଆୟୋଜନ କରିବାକୁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଉପଦେଷ୍ଟା କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.