om academy

‘ବୈଜ୍ଞାନିକ ମନୋଭାବ’ ପତ୍ରିକା ଉନ୍ମୋଚିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ପକ୍ଷରୁ ଜଗଦାର ମାନବ ସେବା ସଦନଠାରେ ତ୍ରୟମାସିକ ପତ୍ରିକା ‘ବୈଜ୍ଞାନିକ ମନୋଭାବ’ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସଂପାଦକ ପ୍ରଫେସର ଡ. ଶଶିକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ୱ ତଥା କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, ହେତୁବାଦୀ ଗଗନ ବିହାରୀ ଧଳ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତ୍ରିକାକୁ ଉନ୍ମୋଚିତ କରିଥିଲେ । ପତ୍ରିକାକୁ ସମୀକ୍ଷା କରି ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ କହିଲେ ଯେ, ଅବଚେତନ ସ୍ତରକୁ ଅତିକ୍ରମ କଲେ ମଣିଷ ସଚେତନ ସ୍ତରକୁ ଆସିଥାଏ । କୌଣସି କଥାକୁ ଅନ୍ଧ ଭାବେ ଗ୍ରହଣ ନକରି ଯୁକ୍ତି ତଥା ବିଜ୍ଞାନ ମନୋଭାବ ସହ ଗ୍ରହଣ କଲେ ତାହା ତଥ୍ୟ ସମ୍ବଳିତ ହୋଇ ସମାଜର ଉନ୍ନତି ସାଧନ କରିଥାଏ । ସମ୍ମାନିତ ଅତିଥି ଶ୍ରୀ ଧଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, କୌଣସି ବିଷୟ ବିଜ୍ଞାନ ଆଧାରିତ ତଥ୍ୟ ଯୋଗ୍ୟ ହେଲେ ଗ୍ରହଣୀୟ ହୁଏ । ବୈଜ୍ଞାନିକ ଗବେଷଣା ଲବ୍ଧ ପ୍ରଯୁକ୍ତି ବିଦ୍ୟାର ଅବଦାନ ତାହା ସଭ୍ୟତାର ଅଂଶବିଶେଷ ହୋଇପାରେ କିନ୍ତୁ ଏହା ବୈଜ୍ଞାନିକ ସଂସ୍କୃତିର ପରିପ୍ରକାଶ ନୁହେଁ । ଅନ୍ୟତମ ଅତିଥି ଶ୍ରୀ ରାଉତ ନିଜ ଅଭିଜ୍ଞତା ବଖାଣିବା ସହ ସବୁ କ୍ଷେତ୍ରରେ ବୈଜ୍ଞାନିକ ମନୋଭାବ ଆପଣେଇବାକୁ ଆହ୍ୱାନ ଦେଇଥିଲେ । ସଭାପତିତ୍ୱ କରୁଥିବା ପ୍ରଫେସର ଡ. ଆଚାର୍ଯ୍ୟ ପତ୍ରିକା ସଂପର୍କରେ ଆଲୋଚନା କରିବା ସହ ପତ୍ରିକାରେ ପ୍ରକାଶିତ ସମସ୍ତ ଲେଖକଙ୍କୁ ସେମାନଙ୍କ ସର୍ଜନା ପାଇଁ କୃତଜ୍ଞତା ଜଣାଇଥିଲେ । ସଂଯୋଜକ ଶ୍ରୀ ମହାପାତ୍ର ‘ବୈଜ୍ଞାନିକ ମନୋଭାବ’ ପତ୍ରିକା କିପରି ବୁଦ୍ଧିଜୀବୀଙ୍କ ମହଲରେ ଆଦୃତ ହୋଇଛି ଓ ଏହା କିପରି ଜୀବନର ସତ୍ୟକୁ ଉଦ୍‌ଭାସିତ କରିଛି ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଅନ୍ୟତମ ସଂପାଦକ ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଦନର ଅନ୍ତେବାସୀ ସହ ସ୍ଥାନୀୟ ଏନଆଇଟିର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.