jayashree

ସ୍ୱାଧୀନତା ସଂଗ୍ରାମୀ କୃତିବାସ ପୁଝାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପାଟଣା, (ଶେଷଦେବ ବେହେରା) : ଦେଶ ସ୍ୱାଧୀନ ହେବାର ପଚିଶ ବର୍ଷ ପୂର୍ବରୁ ଏକ ନିଛକ ପଲ୍ଲୀରେ ଜନ୍ମ ଗ୍ରହଣ ନେଇ ସମସ୍ତ ଭୌଗୋଳିକ ପରିସ୍ଥିତିକୁ ନିଜର ନିଷ୍ଠା ଓ ଏକାଗ୍ରତା ବଳରେ ଜୟ କରି ଉଚ୍ଚଶିକ୍ଷା ଲାଭ ସହିତ ସ୍ଵାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରି ନିଜର ପରିଚୟକୁ ଶାଣିତ କରିଥିବା ସ୍ୱର୍ଗତ କୃତିବାସ ପୁଝାରୀଙ୍କ ଏକ ପ୍ରତିମୂର୍ତ୍ତି ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ସ୍ଥାପିତ ହୋଇଯାଇଛି । ୮୦ତମ ସ୍ଵାଧୀନତା ଦିବସ ଅବସରରେ ଅନୁଷ୍ଠାନରେ ପତାକା ଉତ୍ତୋଳନ ପରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରତିମୂର୍ତ୍ତିର ଆନୁଷ୍ଠାନିକ ଭାବରେ ଅନାବରଣ କରିଥିଲେ । ସ୍ୱର୍ଗତ ପୁଝାରୀ ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମହୁଲ ପାଟଣା ଜମିଦାରୀର ଜୟପାଟଣା ନିକଟବର୍ତ୍ତୀ ବଡ଼ କର୍ଲାକୋଟ ଗ୍ରାମରେ ଏକ ଭତରା ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଶିକ୍ଷା ଜୀବନର ଶୁଭାରମ୍ଭ କରିଥିଲେ । ୧୯୪୫ ମସିହାର ବ୍ରହ୍ମପୁର ଖଲିକୋଟ ମହାବିଦ୍ୟାଳୟରୁ ସ୍ନାତକ କରି ସେତେବେଳର ସ୍ଵାଧୀନତା ସଂଗ୍ରାମରେ ନିଜକୁ ବ୍ରତୀ କରୁଥିଲେ । ନିଷ୍କପଟ ଜୀବନ ଯାତ୍ରା ମଧ୍ୟରେ ବଢି ଆସିଥିବା ସ୍ୱର୍ଗତ ପୁଝାରୀ ସ୍ଵାଧୀନତା ପରେ ନିଜକୁ କୃଷି କାର୍ଯ୍ୟରେ ସମର୍ପିତ କରିବା ସାଙ୍ଗକୁ ଆଦିବାସୀ ମାନଙ୍କ ସାମାଜିକ ବିକାଶ ସହିତ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେଇଥିଲେ । ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା ସହିତ ଜୟପାଟଣାରେ ଇନ୍ଦ୍ରାବତୀ ମହାବିଦ୍ୟାଳୟ ପାଇଁ ମଙ୍ଗ ଧରିବା ସହିତ ଭିତ୍ତିଭୂମି ଗଢ଼ିବା ପାଇଁ ସାତ ଏକର ଜମିଦାନ କରି ଅଞ୍ଚଳରେ ଶିକ୍ଷାର ବିକାଶ କରି ଅମର ହୋଇଯାଇଥିଲେ । ପରବର୍ତ୍ତୀ ଜୀବନରେ ନିଜ ପଞ୍ଚାୟତରୁ ଦୁଇଥର ସରପଞ୍ଚ ହେବା ସହିତ କୋକସରା ନିର୍ବାଚନ ମଣ୍ଡଳୀରୁ ଦୁଇଥର ପ୍ରାର୍ଥୀ ହୋଇଥିଲେ । ୧୯୮୪ ମସିହାରୁ ଜୀବନ କାଳ ପର୍ଯ୍ୟନ୍ତ ବିଜେପିର ଜଣେ ନିଷ୍ଠାପର ସଦସ୍ୟ ଭାବରେ ନିଜକୁ ସମର୍ପିତ କରିଥିଲେ । ୮୦ତମ ସ୍ଵାଧୀନତାରେ ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆୟୋଜିତ ସମାରୋହରେ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅବିନାଶ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱର୍ଗତ ପୁଝାରୀଙ୍କ ଭାଇ ମନୋଜ ପୁଝାରୀ, ସହଧର୍ମିଣୀ ସରୋଜିନୀ ପୁଝାରୀ, ଡେପୁଟି ସବ୍ କଲେକ୍ଟର ପୁନମ୍ ଅଗ୍ରୱାଲ, ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ଅଧ୍ୟାପକ ତୁଳସୀ ରାମ ରାଉତ, ମୀନା କୁମାରୀ ମୁଣ୍ଡ, ଶେଷଦେବ ବେହେରା, ଅବଦୁଲ ହକିମ୍, ନରେଶ କୁମାର୍ ପଣ୍ଡା, ସୁଧୀର କୁମାର ବେହେରା, ଭୋଲେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପୁଝାରୀଙ୍କ ପ୍ରତିଭା ସମ୍ପର୍କରେ ଅବତାରଣା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଜନସାଧାରଣ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.