jayashree

ମୁରିବାହାଲ ବ୍ଲକ ଅଞ୍ଚଳରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜର କାର୍ଯ୍ୟାଳୟରେ ଏହି ଦିବସକୁ ପାଳନ କରିବା ପରେ ବ୍ଲକସ୍ତରୀୟ ମୁଖ୍ୟ ସ୍ୱାଧୀନତା ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ଥାନା ଆଇଆଇସି ବୁଲୁ ମୁଣ୍ଡା, ଏବିଇଓ କୋଦଣ୍ଡଧର ଭୋଇ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ ଜୁନିୟର କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ କୁଅଁର, ଅତିରିକ୍ତ ତହସିଲଦାର ଅଜିତ କୁମାର ଶବର, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଜିପିଡିଓ ପ୍ରସନ୍ନ କୁମାର ନାଗ ଓ ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ, ମ୍ୟାଟ୍ରିକ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଉତ୍ତୀର୍ଣ୍ଣ ବ୍ଲକ ଟପ୍ପରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମାଳିଶିରା ପଞ୍ଚାୟତ ଡେଙ୍ଗପଦର ଗ୍ରାମର କୃତ୍ତିବାସ ପୁଟେଲଙ୍କ ସାନପୁଅ ମେଡିକାଲ ଛାତ୍ର ଆକାଶ ପୁଟେଲଙ୍କୁ ଅତିଥିମାନଙ୍କ ଦ୍ୱାରା ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ ପରିଚାଳନାରେ ଖେଳ ଶିକ୍ଷକ ନିତେଶ ତାଣ୍ଡି, ସୁନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ପଧାନ, ରାଧେକୃଷ୍ଣ ବଘାର, ଝସକେତନ ରାଜହଂସ ଓ ଜୀତେନ୍ଦ୍ର ସୁନା ସହଯୋଗ କରିଥିଲେ । ବିଚାରକଙ୍କ ଦ୍ଵାରା ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ସିନିୟର ବର୍ଗରେ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଓ ଜୁନିୟର ବର୍ଗରେ ପିୟୁପିଏସ୍ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାମୁହିକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା କନିଷ୍ଠ ସହାୟକ ସୁମନ କଲ୍ୟାଣ ରଣା ଓ ଆଇନଜୀବୀ ସୁଦାମ ବଘାରଙ୍କ ସଭା ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲୁଇଓ ଭୀମରାମ ମାଝୀ, ବିଆର୍‌ସି ଶ୍ରୀକାନ୍ତ ଜେନା, ଯୋଜନା ସହାୟକ ରାଜ ସିଂ ବାବୁ, ରୂପେଶ ଷାଣ୍ଡ, ଆୟୋଜକ କମିଟିର ଅଗସ୍ତି ବଘାର, ପ୍ରଫୁଲ୍ଲ କୁମାର ବଘାରଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ, ଓଏଲଏମ କର୍ମଚାରୀ, ବ୍ଲକ ବିକାଶ ମଞ୍ଚ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଏସ୍‌ଏସ୍‌ଓ ଶ୍ରୀ ମେହେର ଧନ୍ୟବାଦ ଦେଇଥିଲେ । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆର୍‌ଏସ୍‌, ଯୋଗାଣ ସହାୟକ, ଜିଓ ଟେଗ, ୱାର୍ଡ ସଭ୍ୟସଭ୍ୟା, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ଵାଧୀନତା ଦିବସକୁ ଅତି ଜାକଜମକର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ମୁରିବାହାଲରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଡିଭାଇନ୍ କିଡସ୍ ପବ୍ଲିକ ସ୍କୁଲ, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ, ଡ୍ରାଇଭର ସଂଘ, ଭୀମ ଆର୍ମି ଭଳି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ମଧ୍ୟ ୮୦ତମ ସ୍ଵାଧୀନତା ଦିବସ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।

Leave A Reply

Your email address will not be published.