jayashree

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦାରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦା ଠାରେ ତ୍ରି-ଦିବସୀୟ କାର୍ଯ୍ୟଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ବିଜେପି ମୁଖପାତ୍ର ତଥା ସମାଜସେବୀ ଧୀରେନ ସେନାପତି ଉଦ୍‌ଘାଟନ କରି ଥିବାବେଳେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଉପସ୍ଥିତ ରହି ଭାରତ କେନ୍ଦ୍ରିତ ଶିକ୍ଷଣ ଅଗମନ ପ୍ରକିୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସହ ସମ୍ପାଦକ କୃପାସିନ୍ଧୁ ବେଉରିଆ, କୋଷାଧକ୍ଷ ଚନ୍ଦ୍ର ଶେଖର ପତି ଓ ସଦସ୍ୟା ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟଶାଳା ଉଦ୍‌ଘାଟନୀରେ ଶ୍ରୀ ସେନାପତି ଜାତୀୟତା ଓ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆତ୍ମନିର୍ଭରଶୀଳ ହେବା ସହ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ଜାତୀୟ ଶିକ୍ଷା ନୀତି-୨୦୨୦ ନିର୍ଦ୍ଦେଶିତ ଶିକ୍ଷାଦାନ ନୀତି ଅନୁଯାୟୀ ଶିଶୁ ମାନଙ୍କୁ ଶିକ୍ଷାଦାନ ପାଇଁ ପଞ୍ଚପଦୀ ଶିକ୍ଷା ପଦ୍ଧତି ଓ ପାଠ ଯୋଜନା ସମ୍ବନ୍ଧରେରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟଶାଳାରେ ରାଉରକେଲା ସଂକୁଳର ୬ଟି ବିଦ୍ୟାଳୟର ମୋଟ ୧୧୧ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ଯୋଗ ଦେଇ ୧୬ଟି କାଳଂଶରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଅତିଥିଙ୍କ ମଧ୍ୟରେ ଶଶୀକାନ୍ତ ମିଶ୍ର, ଜଟାଧାରୀ ମାଝୀ, ଛଗନଲାଲ ଜୈନ, ରବୀନ୍ଦ୍ର କୁମାର ନାୟକ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ରାଉରକେଲା ବିଭାଗର ବିଭାଗ ନିରୀକ୍ଷକ ପ୍ରଦୀପ ସାହୁ ପ୍ରଶିକ୍ଷଣରେ ଉପସ୍ଥିତ ରହି ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କର ଶଂକାମୋଚନ କରିଥିଲେ । ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଶେଷରେ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମଟିକୁ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.