mahavir

ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ

  • “ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁକତେଲ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ସହିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟକୁ ପ୍ରଚାର ପ୍ରସାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଉଦଯାପନୀ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର,ସୁକତେଲ ମହୋତ୍ସବ କମିଟିର ମିଳିତ ସହଯୋଗ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କର ସହାୟତାରେ ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବରେ ବିଭିନ୍ନ ଦିନରେ ଅନେକ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ, ସାଂସ୍କୃତିକ ସଂଗଠକ, ସଙ୍ଗୀତ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାର ୩୦ରୁ ଅଧିକ ଦଣ୍ଡ କଳାକାର ନିଜର କଳା ପରିବେଷଣ କରିଥିଲେ । ଢାପ ପଏଁରି କଳା ପରିଷଦ, ଟିଟିଲାଗଡ଼, ମଧୁମିତା ପରମଗୁରୁ, ସୁବର୍ଣ୍ଣପୁର, ସଙ୍ଗୀତ ସାଧନା, ଲୋଇସିଂହା, ରୁମକୁ ଝୁମାନା, ସୁବର୍ଣ୍ଣପୁର ପ୍ରଭୃତି ଛଅ ଗୋଟି ସାଂସ୍କୃତିକ ଦଳ ମହୋତ୍ସବରେ ଘୁମୁରା, ଢାପ, ଲୋକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । କଂସ ଦରବାରରେ ଶୁଭମ ଘିବେଲା ଓ ତାଙ୍କ ଦଳ ଅଭିନୟ ମାଧ୍ୟମରେ ଲୋକଙ୍କର ମନ ଜିଣି ପାରିଥିଲେ । ତୃତୀୟ ସୁକତେଲ ମହୋତ୍ସବ ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ସାଂସ୍କୃତିକ ସଂଗଠକ ଟଙ୍କଧର ଛତ୍ରିଆ, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶାଶ୍ୱତ କୁମାର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଣ୍ଡ କଳାକାର ଆନନ୍ଦ ଗୁର୍ଲା, ରିଙ୍କି ବାଗ ଓ ସୁଶୀଲ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନୀ ସଭାରେ ସଭାପତିତ୍ୱ କରିଥିଲେ ଅକ୍ରୁର ପୁରୋହିତ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ ସୁପରିଚିତ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଓ ବଲାଙ୍ଗିର ରାଜ ମିସ୍ତ୍ରୀ ସଙ୍ଘର ସଭାପତି ଶମ୍ଭୁ ନାଗ । ସଭା ସଂଯୋଜନା କରିଥିଲେ ଦେବାଶିଷ ପାଣ୍ଡିଆ । ଉଦଯାପନୀ ସନ୍ଧ୍ୟାରେ ଶ୍ରୀହରି କଳା ନିକେତନ, କଳାହାଣ୍ଡିର ଘୁମୁରା ନୃତ୍ୟ ଓ ସଂଜ୍ୟୋତ୍ କଳା କେନ୍ଦ୍ର, ବଲାଙ୍ଗିରର ଲୋକଗୀତ ଓ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଭକ୍ତ ପ୍ରଧାନ । କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବେଲା ଅପରାହ୍ନରେ ପାର୍ଶ୍ୱବର୍ତ୍ତୀ ଗ୍ରାମ ସିଆଲବାହାଲି ମାଗୁରବେଡ଼ା, ପଥରଖଣ୍ଡି, କୁଟୁମଡୋଲା ଗ୍ରାମକୁ ନିଜ ରଥରେ ଯାଇ ପରିଦର୍ଶନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଫାଉଣ୍ଡେସନର ସମ୍ପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସୁକତେଲ ମହୋତ୍ସବ କମିଟିର ସଦସ୍ୟ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ, ପ୍ରସନ୍ନ ଗହୀର, ସତ୍ୟନାରାୟଣ ଗହୀର, ପ୍ରତାପ ସାହୁ ଓ ସୁରେଶ ବୁଡେକ, ସାନନ୍ଦ ଶିକା, ଶ୍ରୀମୟ ତ୍ରିପାଠୀ, ଦେବବତ୍ତ ସେଠ, ସୁରେଶ ମେହେର, ବରୁଣ ରଣା, ସର୍ବଜିତ ତ୍ରିପାଠୀ, ବିଶ୍ୱଜିତ ନାଥ, ଦେବାଶିଷ ଦାଶ ଓ ହରେକୃଷ୍ଣ ବୁଡେକ । ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଏଭଳି ଆୟୋଜନର ପ୍ରଶଂସା କରିଥିଲେ । ଧ୍ୱଜାବତାରଣ ପରେ ମହୋତ୍ସବ ସମାପ୍ତିର ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.