
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଶେଷସୀମାରେ ଥିବା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଠାରେ ନିର୍ମାଣ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ ଅପେକ୍ଷାରେ ଥିବା ଦେଖିବାକୁ ମିଳିଛି । ନିର୍ମାଣ ହେବାର ଏକ ବର୍ଷ ପାଖାପାଖି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକେ ବାଧ୍ୟ ହୋଇ କ୍ଵାକ ତଥା ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା ନେଇ ଦେଖିବାକୁ ମିଳିଛି । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ନିର୍ମାଣ କଲେ କିନ୍ତୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳ ବଲାଙ୍ଗିର ଓ ନୂଆପଡା ଜିଲ୍ଲା ଶେଷସୀମାରେ ଥିବାବେଳେ ସ୍ୱାସ୍ଥ୍ୟସେବା ଗୋଟିଏ ପ୍ରକାର ଅପହଞ୍ଚ ହୋଇଥିବା ନେଇ ଦେଖିବାକୁ ମିଳିଛି । ସରକାର ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ହେଲେ ପ୍ରକୃତ ପକ୍ଷରେ ଗ୍ରାମାଞ୍ଚଳରେ କେତେ ପହଞ୍ଚୁଛି ତାହା ତଦନ୍ତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଇନଚାର୍ଜ ଜୟନ୍ତ ବାଗଙ୍କୁ ଯୋଗାଯୋଗ କରିବାରୁ, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଲେ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ସେ କହିଛନ୍ତି । ତୁରନ୍ତ ସରକାରଙ୍କ ପକ୍ଷରୁ କପିଲାଭଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଶୀଘ୍ର ଉଦଘାଟନ ନ କଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।